ରାଜ୍ୟରୁ କଟିଲେ ୮୮,୮୦୦ ମୋବାଇଲ୍‌ ଗ୍ରାହକ

ଭୁବନେଶ୍ବର: କରୋନା ମହାମାରୀ ମୋବାଇଲ୍‌ ସେବା ବଜାରକୁ ମଧ୍ୟ ଗୁରୁତର ଭାବେ ପ୍ରଭାବିତ କରିଛି। ଓଡ଼ିଶାରେ ପ୍ରତି ୧୦୦ ଜଣରୁ ୭୫ ଜଣଙ୍କ ପାଖରେ ମୋବାଇଲ୍‌ ସଂଯୋଗ ପହଞ୍ଚିଛି। ଆହୁରି ୨୫ ପ୍ରତିଶତ ଲୋକଙ୍କ ପାଖରେ ସଂଯୋଗ ପହଞ୍ଚାଇବାର ସୁଯୋଗ ରହିଥିଲେ ମଧ୍ୟ ଟେଲିକମ୍ କଂପାନିଗୁଡ଼ିକ ବିପୁଳ ପରିମାଣର ମୋବାଇଲ୍‌ ଗ୍ରାହକ ହରାଉଛନ୍ତି। ଗତ ମେ’ରେ ରାଜ୍ୟର ୮୮,୮୦୧ଟି ମୋବାଇଲ୍ ସଂଯୋଗ କଟିଯାଇଛି। ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ରିପୋର୍ଟରୁ ଏହା ଜଣାପଡ଼ିଛି।

ଗତ ଏପ୍ରିଲ୍‌ରେ ରାଜ୍ୟର ମୋଟ୍ ମୋବାଇଲ୍‌ ଗ୍ରାହକ ସଂଖ୍ୟା ୩ କୋଟି ୩୧ ଲକ୍ଷ ୨୩ ହଜାର ୧୦୩ ଥିଲା। ମେ’ ସୁଦ୍ଧା ସେହି ସଂଖ୍ୟା ୮୮,୮୦୧ ହ୍ରାସ ପାଇ ୩ କୋଟି ୩୦ ଲକ୍ଷ ୩୪ ହଜାର ୩୦୨ରେ ପହଞ୍ଚିଛି। ସରକାରୀ କଂପାନି ବିଏସ୍‌ଏନ୍‌ଏଲ୍‌ ଗତ ମେ’ରେ ୫୨,୩୨୯ ନୂଆ ଗ୍ରାହକ ଯୋଡ଼ିଥିବାରୁ ରାଜ୍ୟରେ କଂପାନିର ମୋବାଇଲ୍ ଗ୍ରାହକ ସଂଖ୍ୟା ୬୩ ଲକ୍ଷରୁ ଅଧିକ ହୋଇଯାଇଛି। ସେହି ସମୟରେ, ଭୋଡାଫୋନ୍ ଆଇଡିଆର ଗ୍ରାହକ ସଂଖ୍ୟା ୧ ଲକ୍ଷ ୧୨ ହଜାର ୨୯୫ ହ୍ରାସ ପାଇ ୨୯ ଲକ୍ଷ ୭୧ ହଜାର ୨୭୨କୁ ଖସିଆସିଛି। ଭାରତୀ ଏୟାରଟେଲ୍‌ ୨ ଲକ୍ଷ ୧୬ ହଜାର ୧୮୦ ଜଣ ଗ୍ରାହକ ହରାଇଛି। ଓଡ଼ିଶାରେ ଏୟାରଟେଲ୍‌ର ଗ୍ରାହକ ସଂଖ୍ୟା ୧ କୋଟି ୯୮ ଲକ୍ଷ ୭ ହଜାର ୩୦୬କୁ ହ୍ରାସ ପାଇଛି। ରିଲାଏନ୍ସ ଜିଓ ଏହି ମାସରେ ସର୍ବାଧିକ ୧,୮୭,୩୪୫ ନୂଆ ଗ୍ରାହକ ‌ଯୋଡ଼ିଛି। ତେଣୁ ଏହା ରାଜ୍ୟର ସବୁଠୁ ବଡ଼ ମୋବାଇଲ୍ କଂପାନି ଭାବେ ନିଜର ସ୍ଥିତିକୁ ଆହୁରି ମଜଭୁତ କରିପାରିଛି। କଂପାନିର ମୋଟ ଗ୍ରାହକ ସଂଖ୍ୟା ଓଡ଼ିଶାରେ ୧ କୋଟି ୨୭ ଲକ୍ଷ ୭୪ ହଜାର ୯୩୨ରେ ପହଞ୍ଚିଛି।



from ବାଣିଜ୍ୟ – Sambad https://ift.tt/2QuLSj6

Post a Comment

0 Comments