
ମୁମ୍ବାଇ: ଓଡ଼ିଶାରେ ଚାଷୀ ପରିବାରର ହାରାହାରି ବାର୍ଷିକ ଆୟ ହେଉଛି ୯୨,୭୭୨ ଟଙ୍କା। ଜାତୀୟ ସ୍ତରର ହାରାହାରି ଆୟ ୧,୦୭,୧୭୨ ଟଙ୍କା ଠାରୁ ଏହା ପ୍ରାୟ ୧୪ ହଜାର ଟଙ୍କା କମ୍। ଛତିଶଗଡ଼, ଗୁଜରାଟ, ହରିୟାଣା, ହିମାଚଳପ୍ରଦେଶ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ପଞ୍ଜାବ, ରାଜସ୍ଥାନ, ତାମିଲନାଡୁ, ତେଲେଙ୍ଗାନା, ଉତ୍ତରାଖଣ୍ଡ ଓ ପଶ୍ଚିମବଙ୍ଗର ଚାଷୀ ପରିବାରଗୁଡ଼ିକର ବାର୍ଷିକ ହାରାହାରି ଆୟ ଓଡ଼ିଶା ଠାରୁ ଯଥେଷ୍ଟ ଅଧିକ ରହିଛି। ପଞ୍ଜାବ ଚାଷୀ ପରିବାରର ବାର୍ଷିକ ହାରାହାରି ଆୟ ସର୍ବାଧିକ ୨,୭୭,୫୯୬ ଟଙ୍କା ରହିଛି। ଗୁଜରାଟ ଚାଷୀ ପରିବାର ମଧ୍ୟ ବର୍ଷକୁ ହାରାହାରି ୨ ଲକ୍ଷ ୨୧ ହଜାର ଟଙ୍କା ରୋଜଗାର କରୁଛନ୍ତି। ଓଡ଼ିଶାରେ ଇ-ନାମ୍ରେ ପଞ୍ଜୀକୃତ ଥିବା ମଣ୍ଡି ସଂଖ୍ୟା ୪୧ ଥିବା ବେଳେ ୧୯୭୬ ବ୍ୟବସାୟୀ ଓ ୮୧,୫୨୫ ଜଣ ଚାଷୀ ପଞ୍ଜିକୃତ ଅଛନ୍ତି ବୋଲି ଏସ୍ବିଆଇ ଇକୋରାପ୍ ରିପୋର୍ଟରୁ ଜଣାପଡ଼ିଛି।
ଏହି ରିପୋର୍ଟରୁ ଜଣାପଡ଼ିଛି ଯେ ଦେଶର ମାତ୍ର ୧୫ ପ୍ରତିଶତ ଚାଷୀ ପରିବାର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ବିଷୟରେ ଜାଣନ୍ତି। ଏହାର ଅର୍ଥ ହେଉଛି ଦେଶର ୮୫ ପ୍ରତିଶତ ଚାଷୀ ପରିବାର ଏମ୍ଏସ୍ପି ବ୍ୟବସ୍ଥା ବିଷୟରେ କିଛି ଜାଣିନାହାନ୍ତି। ୧୯% ଚାଷୀ ପରିବାର ସରକାରୀ ଶସ୍ୟ ସଂଗ୍ରହ ଏଜେନ୍ସି ବିଷୟରେ ଅବଗତ ଅଛନ୍ତି। ୯୩ ପ୍ରତିଶତ ଚାଷୀ ସେମାନଙ୍କ ଉତ୍ପାଦିତ ସାମଗ୍ରୀକୁ ଖୋଲା ବଜାରରେ ବିକ୍ରି କରନ୍ତି। ଏନ୍ଏସ୍ଏସ୍ର ୭୦ତମ ପର୍ଯ୍ୟାୟ ସର୍ଭେରୁ ଏହି ତଥ୍ୟ ମିଳିଛି ବୋଲି ଏସ୍ବିଆଇ ଇକୋରାପ୍ ରିପୋର୍ଟରେ ଉଲ୍ଲେଖ ରହିଛି। କେନ୍ଦ୍ର ସରକାର ୨୩ ପ୍ରକାର ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା କରନ୍ତି। କିନ୍ତୁ ସରକାର ସବୁ ପ୍ରକାର ଫସଲ କିଣନ୍ତି ନାହିଁ କିମ୍ବା କିଣିବାର ଅଭିପ୍ରାୟ ମଧ୍ୟ ରଖନ୍ତି ନାହିଁ।
ତଥ୍ୟ ଅନୁଶୀଳନରୁ ଜଣାପଡ଼ିଛି ଯେ ଦେଶରେ ଉତ୍ପାଦିତ ହେଉଥିବା ମାତ୍ର ୩୦-୩୫% ଗହମକୁ ସରକାରୀ ଏଜେନ୍ସିଗୁଡ଼ିକ କିଣିଥାନ୍ତି। ଚାଷୀଙ୍କୁ ଏକ ବଡ଼ ବଜାର ପ୍ରଦାନ କରିବା ଲାଗି ଇ-ନାମ୍ ବ୍ୟବସ୍ଥା କରାଯାଇଛି। ସେଥିରେ ୧.୬୭ କୋଟି ଚାଷୀ ପଞ୍ଜୀକୃତ ଅଛନ୍ତି। ସେମାନଙ୍କ ମଧ୍ୟରୁ ୬୫% ଚାଷୀ ୪ଟି ରାଜ୍ୟରୁ ଆସିଛନ୍ତି। ଖାଦ୍ୟଶସ୍ୟ ସଂଗ୍ରହ ଓ ତାହାର ପରିଚାଳନାରେ ଭାରତୀୟ ଖାଦ୍ୟ ନିଗମ(ଏଫ୍ଡିଆଇ)ର ଉଦ୍ୟମ ଯଥେଷ୍ଟ ନୁହେଁ। ୨୦୨୦ ଜୁଲାଇ ୧ ସୁଦ୍ଧା କେନ୍ଦ୍ର ସରକାରଙ୍କ ଭଣ୍ଡାରରେ ୮୨୨ ଲକ୍ଷ ଟନ୍ ଶସ୍ୟ ରହିଥିଲା ଯାହା ନିର୍ଧାରିତ ୪୧୧ ଲକ୍ଷ ଟନ୍ର ପ୍ରାୟ ଦୁଇ ଗୁଣ ସହ ସମାନ। ବଳକା ଖାଦ୍ୟଶସ୍ୟକୁ ଖୋଲା ବଜାରରେ ବିକ୍ରି କରିବା କିମ୍ବା ରପ୍ତାନି କରିବାକୁ ଶାନ୍ତା କୁମାର କମିଟି ସୁପାରିସ୍ କରିଥିଲା। ମାତ୍ର ତାହା ଲାଗୁ ହୋଇନାହିଁ। ଗୋଦାମ ଘର କ୍ଷମତାକୁ ଠିକ୍ ଭାବେ ପରିଚାଳନା କରିବାରେ ମଧ୍ୟ ଏଫ୍ସିଆଇ ବିଫଳ ହୋଇଛି। ଜାତୀୟ କ୍ଷୁଦ୍ର ସଞ୍ଚୟ ସ୍କିମ୍ରୁ ଏଫ୍ସିଆଇ ଆଣୁଥିବା ଋଣ ପରିମାଣ ମଧ୍ୟ ବେଲଗାମ ହୋଇପଡ଼ିଥିବା ବିଷୟରେ ଏସ୍ବିଆଇ ରିପୋର୍ଟରେ ଉଲ୍ଲେଖ ରହିଛି। ୨୦୨୨ ସୁଦ୍ଧା କୃଷିଜାତ ସାମଗ୍ରୀ ରପ୍ତାନିକୁ୬୦୦୦ କୋଟି ଡଲାରରେ ପହଞ୍ଚାଇବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ମାତ୍ର ଏପର୍ଯ୍ୟନ୍ତ ୧୪ଟି ରାଜ୍ୟ ନିଜର କୃଷି ରପ୍ତାନି ନୀତି ଘୋଷଣା କରିଛନ୍ତି। ଅନ୍ୟମାନେ ଏହି ନୀତି ପ୍ରସ୍ତୁତ କରିବାର ବିଭିନ୍ନ ପର୍ଯ୍ୟାୟରେ ଅଛନ୍ତି ବୋଲି ରିପୋର୍ଟରୁ ଜଣାପଡ଼ିଛି।
The post ଓଡ଼ିଶା ଚାଷୀଙ୍କ ବାର୍ଷିକ ଆୟ ୯୨,୭୭୨ ଟଙ୍କା: ୯୩% ଖୋଲା ବଜାରରେ ଉତ୍ପାଦିତ ସାମଗ୍ରୀ ବିକନ୍ତି first appeared on Sambad.
from ବାଣିଜ୍ୟ – Sambad https://ift.tt/3nQJxhC
0 Comments