
ନୂଆଦିଲ୍ଲୀ: ଦୁଇ କୋଟି ଟଙ୍କାରୁ କମ୍ ମୂଲ୍ୟର ଋଣ ନେଇଥିବା ଗ୍ରାହକମାନଙ୍କ ସୁଧ ଉପର ସୁଧ ଛାଡ଼ କରିବାକୁ କେନ୍ଦ୍ର ସରକାର କିଛି ଦିନ ତଳେ ନିଷ୍ପତ୍ତି ନେଇଥିଲେ ମଧ୍ୟ ତାହାକୁ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଇନଥିବାରୁ ସୁପ୍ରିମ୍ କୋର୍ଟ ବିରକ୍ତୀ ପ୍ରକାଶ କରିଛନ୍ତି। ବିଚାରପତି ଅଶୋକ ଭୂଷଣ, ଆର୍ ସୁଭାଷ ରେଡ୍ଡି ଓ ଏମ୍ ଆର୍ ଶାହଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ ଋଣ ମୋରାଟୋରିଅମ୍ ମାମଲାର ଶୁଣାଣି କରିବା ବେଳେ ସରକାରଙ୍କ ଉପରେ କ୍ଷୁବ୍ଧ ହେବା ସହ କାହିଁକି ନିଷ୍ପତ୍ତିକୁ ଲାଗୁ କରାଯାଇନାହିଁ ବୋଲି ପ୍ରଶ୍ନ କରିଛନ୍ତି। କୋର୍ଟ କହିଛନ୍ତି ଯେ ତୁମେ ନିଷ୍ପତ୍ତି ନେଇସାରିଛ। କିନ୍ତୁ ତାହାକୁ କାର୍ଯ୍ୟକାରୀ କରିନାହଁ। ଏବେ ଆହୁରି ମାସେ ସମୟ ମାଗୁଛ। ସାଧାରଣ ଲୋକ ଅତ୍ୟନ୍ତ ଚିନ୍ତିତ ଅଛନ୍ତି।
ଯେଉଁମାନେ ଦୁଇ କୋଟି ଟଙ୍କା ପର୍ଯ୍ୟନ୍ତର ଋଣ ନେଇଛନ୍ତି ସେମାନଙ୍କ ପାଇଁ ଆମେ ଚିନ୍ତିତ ଅଛୁ। ସାଧାରଣ ଲୋକମାନଙ୍କ ଦୀପାବଳି ଖୁସି ତୁମ ହାତରେ ରହିଛି ବୋଲି ବୋଲି ସରକାରଙ୍କୁ ଆଜି ସୁପ୍ରିମ୍ କୋର୍ଟ କହିଛନ୍ତି। ମୋରାଟୋରିଅମ୍ ଅବଧିରେ ସୁଧ ଉପର ସୁଧ (ଯୌଗିକ ସୁଧ) ଛାଡ଼ କରିବାକୁ ଏକ ସତ୍ୟପାଠ ଜରିଆରେ ସରକାର କୋର୍ଟଙ୍କୁ ଜଣାଇଥିଲେ। ସେହି ନିଷ୍ପତ୍ତି ଲାଗୁ କରିବାକୁ ଆଉ ଏକ ମାସ ସମୟ ଦେବାକୁ ସରକାର ଯେଉଁ ଅନୁରୋଧ କରିଥିଲେ ତାହାକୁ କୋର୍ଟ ଖାରଜ କରିଦେଇଛନ୍ତି। ନିଷ୍ପତ୍ତି ନିଆଯାଇସାରିଥିବା ବେଳେ ତାହାକୁ କାର୍ଯ୍ୟକାରୀ କରିବା ପାଇଁ ଏତେ ଲମ୍ବା ସମୟ କାହିଁକି ଦରକାର ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ସରକାର କହିଛନ୍ତି ଯେ କିଛିଟା ଔପଚାରିକତା ବାକି ରହିଛି ଯେଉଁଥିପାଇଁ ଅଧିକ ସମୟ ଦରକାର। ସୁଧ ଉପର ସୁଧ ଛାଡ଼ ନିଷ୍ପତ୍ତିକୁ ନଭେମ୍ବର ୨ ସୁଦ୍ଧା ଲାଗୁ କରିବାକୁ କୋର୍ଟ ସମୟ ଦେଇଛନ୍ତି।
The post ମୋରାଟୋରିଅମ୍ ମାମଲା: କେନ୍ଦ୍ର ଉପରେ ସୁପ୍ରିମ୍ କୋର୍ଟ କ୍ଷୁବ୍ଧ, ସୁଧ ଉପର ସୁଧ ଛାଡ଼ କରିବାକୁ ନିଷ୍ପତ୍ତି ନେଇଛ, ଲାଗୁ କରୁନ first appeared on Sambad.
from ବାଣିଜ୍ୟ – Sambad https://ift.tt/3lNjEOa
0 Comments