କରୋନା ପ୍ରଭାବ, ଆୟକୁ ଟପିଗଲା ଟିକଟ ଫେରସ୍ତ ଟଙ୍କା

ନୂଆଦିଲ୍ଲୀ: କରୋନା ମହାମାରୀ ପ୍ରଭାବରେ ଭାରତୀୟ ରେଳ ପକ୍ଷରୁ ବିଗତ ପାଞ୍ଚ ମାସ ଭିତରେ ୧ କୋଟି ୭୮ ଲକ୍ଷ ଟିକଟ ବାତିଲ କରାଯାଇଛି। ସେଥିପାଇଁ ଟିକଟ ବୁକିଙ୍ଗ୍‌ କରିଥିବା ଯାତ୍ରୀମାନଙ୍କୁ ସମୁଦାୟ ୨୭୨୭ କୋଟି ଟଙ୍କା ଫେରସ୍ତ କରାଯାଇଛି। ସୂଚନା ଅଧିକାର ଆଇନ ଆଧାରରେ ମିଳିଥିବା ତଥ୍ୟ ଅନୁଯାୟୀ, ରେଳବାଇ ପକ୍ଷରୁ ୧,୭୮,୭୦,୬୪୪ ଟିକଟ ବାତିଲ କରାଯାଇଛି। କରୋନା ମହାମାରୀର ମୁକାବିଲା ଲାଗି ଗତ ମାର୍ଚ୍ଚ ୨୫ରେ ଲକ୍‌ଡାଉନ୍ ଘୋଷଣା କରାଯିବା ଦିନ ଠାରୁ ରେଳ ଚଳାଚଳ ବନ୍ଦ ରହିଛି। କେବଳ କୋଭିଡ୍-୧୯ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରୁଛି। ପ୍ରଥମ ଥର ପାଇଁ ଟିକଟ ବୁକିଙ୍ଗ୍‌ରୁ ରେଳବାଇର ଯେତିକି ଟଙ୍କା ଆୟ ହୋଇନାହିଁ ତା’ଠାରୁ ଏହା ଅଧିକ ଟଙ୍କା ଫେରସ୍ତ କରିଛି।

୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ ରେଳବାଇ ଯାତ୍ରୀ ଭଡ଼ା ବାବଦରେ ୧୦୬୬ କୋଟି ଟଙ୍କାର କ୍ଷତି ସହିଛି। ଗତବର୍ଷ ଏପ୍ରିଲ୍‌ ୧ରୁ ଅଗଷ୍ଟ ୧୧ ଭିତରେ ରେଳବାଇ ଯାତ୍ରୀ ଭଡ଼ାରୁ ୧୭,୩୦୯ କୋଟି ଟଙ୍କା ଆୟ କରିଥିଲା। ସେହି ସମୟରେ ୩୬୬୦ କୋଟି ଟଙ୍କା ଫେରସ୍ତ କରିଥିଲା। ଚଳିତ ବର୍ଷ ସେହି ସମୟରେ ସ୍ଥିତି ଓଲଟିଯାଇଛି। ଲକ୍‌ଡାଉନ୍ କଟକଣା ଲାଗୁ କରାଯିବା ପରେ ଟ୍ରେନ୍ ଚଳାଚଳ ବନ୍ଦ ରହିବାରୁ ଗତ ଏପ୍ରିଲ୍, ମେ’ ଓ ଜୁନ୍ ମାସ ଲାଗି ହୋଇଥିବା ଟିକଟଗୁଡ଼ିକର ବୁକିଙ୍ଗ ବାବଦ ଟଙ୍କା ଫେରସ୍ତ କରାଯାଇଥିଲା। ଏପ୍ରିଲ୍‌ରେ ୫୩୧.୧୨ କୋଟି ଟଙ୍କା, ‌ମେ’ରେ ୧୪୫.୨୪ କୋଟି ଟଙ୍କା ଓ ଜୁନ୍‌ରେ ୩୯୦.୬ କୋଟି ଟଙ୍କାର ରାଜସ୍ବ ହାନି ହୋଇଛି।



from ବାଣିଜ୍ୟ – Sambad https://ift.tt/2QlgWlk

Post a Comment

0 Comments