ଏବର୍ଷ ରେକର୍ଡ ପରିମ‌ାଣର ଫସଲ ଅମଳ ହେବ

ନୂଆଦିଲ୍ଲୀ: ସାରା ଦେଶରେ ମୌସୁମୀ ବର୍ଷା ପ୍ରାୟ ସ୍ବାଭାବିକ ରହିଥିବାରୁ ଚାଷ କାର୍ଯ୍ୟ ‌ଜୋରସୋରରେ ଆଗେଇ ଚାଲିଛି। ବର୍ତ୍ତମାନ ସୁଦ୍ଧା ସ୍ବାଭାବିକଠାରୁ ୬ ପ୍ରତିଶତ ଅଧିକ ବର୍ଷା ହୋଇଛି। ଗତବର୍ଷ ତୁଳନାରେ ଚଳିତ ବର୍ଷ ୮.୬୫ ପ୍ରତିଶତ ଅଧିକ ଜମିରେ ଚାଷ କାର୍ଯ୍ୟ ହୋଇଛି। ଅଧିକ ୧୨ ପ୍ରତିଶତ ଜମିରେ ଧାନ ଚାଷ କରାଯାଇଥିବା ବେଳେ ତୈଳବୀଜ ଫସଲକୁ ଅଧିକ ୧୪ ପ୍ରତିଶତ ଜମିରେ ଚାଷ କରାଯାଇଛି। ଏ ସମ୍ପର୍କରେ କୃଷି କମିସନର ଏସ୍‌ କେ ମଲହୋତ୍ରା କହିଛନ୍ତି, ସରକାରଙ୍କ ପାଖରେ ବଳକା ଖାଦ୍ୟଶସ୍ୟ ରହିଛି। ମାତ୍ର ଏବେବି ଡାଲି ଓ ତୈଳବୀଜ ଆମଦାନି କରିବାକୁ ପଡ଼ୁଛି। ତେଣୁ ଏହି ଦୁଇ ପ୍ରକାର ଶସ୍ୟ ଉତ୍ପାଦନ ବଢ଼ାଇବାକୁ ହେବ।

ଅଧିକ ଜମି‌ରେ ତୈଳବୀଜ ଉତ୍ପାଦନ କରାଗଲେ ଭାରତ ସ୍ବାବଲମ୍ବୀ ହୋଇପାରିବ ବୋଲି ସେ କହିଛନ୍ତି। ବର୍ତ୍ତମାନ ସୁଦ୍ଧା ଯାହା ସ୍ଥିତି ରହିଛି ତାହାକୁ ଅନୁଧ୍ୟାନ କଲେ ଏବର୍ଷ ଧାନ, କପା ଓ ଡାଲି ଅମଳ ଭଲ ରହିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ଚାଷ କାର୍ଯ୍ୟ ଉପରେ କରୋନା ମହାମାରୀର କୌଣସି ପ୍ରଭାବ ନାହିଁ। ବୁଣାବୁଣି ଓ ତଳି ରୋଇବା କାର୍ଯ୍ୟ ଜୋରସୋର‌େର ଆଗେଇ ଚାଲିଛି। ରେକର୍ଡ ପରିମାଣର ଫସଲ ଅମଳ ହେବା ଭଳି ପରିବେଶ ରହିଛି ବୋଲି ସେ କହିଛନ୍ତି। ଦେଶରେ କରୋନା ସଂକ୍ରମଣ ଆରମ୍ଭ ହେବା ପରେ ଗତ ମାର୍ଚ୍ଚ ୨୫ରୁ ଲକ୍‌ଡାଉନ୍‌ ଘୋଷଣା କରାଯିବା ପରଠାରୁ ଅନେକ କ୍ଷେତ୍ରର କାର୍ଯ୍ୟକଳାପ ଉପରେ କଟକଣା ଲଗାଯାଇଥିଲା। ମାତ୍ର ଚାଷ କାର୍ଯ୍ୟ ଜାରି ରଖିବାକୁ ଅନୁମତି ଦିଆଯାଇଛି।



from ବାଣିଜ୍ୟ – Sambad https://ift.tt/3l8XGpd

Post a Comment

0 Comments