ମୁକେଶ ଧୀରେ ଧୀରେ ଆଗକୁ ବଢ଼ି ଏବେ ବିଶ୍ବର ଷଷ୍ଠ ଧନୀ

‌ଧୀରୁଭାଇ ଅମ୍ବାନି ୟେମେନ୍‌ରେ ଥିବା ବେଳେ ୧୯୫୭ ଏପ୍ରିଲ୍ ୧୯ରେ ମୁକେଶଙ୍କ ଜନ୍ମ ହୋଇଥିଲା। ୟୁନିଭର୍ସିଟି ଡିପାର୍ଟମେଣ୍ଟ୍‌ ଅଫ୍ କେମିକାଲ୍ ଟେକ୍ନୋଲୋଜି (ୟୁଡିସିଟି)ରୁ କେମିକାଲ ଇଞ୍ଜିନିୟରିଂ ପାଠପଢ଼ା ଶେଷ କରିବା ପରେ ଷ୍ଟାନଫୋର୍ଡ ବିଜନେସ୍ ସ୍କୁଲ୍‌ରେ ଏମ୍‌ବିଏ ଶିକ୍ଷା ଗ୍ରହଣ କରିଥିଲେ। ଏମ୍‌ବିଏ ପାଠ ବର୍ଷେ ପଢ଼ିବା ପରେ ସେ ଓହରିଆସିଥିଲେ ଓ ପାତାଳଗଙ୍ଗା ପେଟ୍ରୋକେମିକାଲ୍ କାରଖାନା ସ୍ଥାପନ କରିବାରେ ଧୀରୁଭାଇଙ୍କୁ ସାହାଯ୍ୟ କରିଥିଲେ। ୧୯୮୧ରେ ସେ ବାପାଙ୍କ କଂପାନି ରିଲାଏନ୍ସରେ ଯୋଗ ଦେଇଥିଲେ। ତାଙ୍କ ନେତୃତ୍ବରେ ଗୁଜରାଟର ଜାମନଗରରେ ପ୍ରାୟ୧୦,୦୦୦ କୋଟି ଟଙ୍କାର ପୁଞ୍ଜିନିବେଶରେ ବୃହତ ପେଟ୍ରୋଲିୟମ୍ ରିଫାଇନାରି ସ୍ଥାପନ କରାଯାଇଥିଲା।

ମୁକେଶଙ୍କ ବିବାହ ପାଇଁ ତାଙ୍କ ବାପା ଧୀରୁଭାଇ ନୀତା ଅମ୍ବାନିଙ୍କୁ ପସନ୍ଦ କରିଥିଲେ। ମଧ୍ୟବିତ୍ତ ପରିବାରରେ ଜନ୍ମ ଗ୍ରହଣ କରିଥିବା ନୀତାଙ୍କୁ ଏକ କାର୍ଯ୍ୟକ୍ରମରେ ଭାରତନାଟ୍ୟମ୍ ନୃତ୍ୟ ପରିବେଷଣ କରୁଥିବା ଦେଖି ଧୀରୁଭାଇ ଏତେ ବିମୋହିତ ହୋଇପଡ଼ିଥିଲେ ଯେ ସେ ତାଙ୍କୁ ନିଜ ଘରର ବୋହୂ କରିବାକୁ ମନ ସ୍ଥିର କରିଥିଲେ। ‌ସେତେବେଳେ ନୀତା ଶିକ୍ଷୟିତ୍ରୀ ଭାବେ ପାଠପଢ଼ାଉଥିଲେ। ଦୁଇ ପରିବାର ଆଲୋଚନା କରିବା ପରେ ୧୯୮୫ରେ ମୁକେଶ ଓ ନୀତାଙ୍କ ବିବାହ ହୋଇଥିଲା। ତାଙ୍କର ତିନି ସନ୍ତାନ ଜନ୍ମ ହୋଇଥିଲେ-ଦୁଇ ପୁଅ ଆକାଶ ଓ ଅନନ୍ତ ଏବଂ ଝିଅ ଈଶା। ଆକାଶ ଏବଂ ଈଶା ହେଉଛନ୍ତି ଯମଜ ସନ୍ତାନ। ବିବାହ ପରେ ମଧ୍ୟ ନୀତା ପାଠପଢ଼ା ପ୍ରତି ରହିିଥିବା ମୋହ ଛାଡ଼ିନଥିଲେ। ସେ କଂପାନିର ସ୍କୁଲ ପ୍ରକଳ୍ପକୁ ଦେଖା‌ଶୁଣା କରୁଛନ୍ତି। ସବୁ ପରିସ୍ଥିତିରେ ପତିଙ୍କ ସହ ଠିଆ ହେବା ହେଉଛି ନୀତାଙ୍କ ସବୁଠୁ ଭଲ ଗୁଣ। ଯଦିଓ ବ୍ୟକ୍ତିଗତ ଜୀବନ ମୁକେଶଙ୍କ ପାଇଁ ଠିକ୍‌ଠାକ୍ ରହିଥିବା କିନ୍ତୁ, ସାନ ଭାଇଙ୍କ ସହ ଝଗଡ଼ା ଓ ଅଲଗା ହେବା ତାଙ୍କୁ ବହୁତ କଷ୍ଟ ଦେଇଥିଲା। ସାନ ଭାଇ ଅନିଲଙ୍କ ଠାରୁ ଅଲଗା ହେବା ପରେ ପ୍ରାୟ ପାଞ୍ଚ ବର୍ଷ ମୁକେଶ ଶାନ୍ତ ରହି ନିଜ କାରବାରକୁ ଦୃଢ଼ କରିବାରେ ଲାଗିଥିଲେ।

ବିଚକ୍ଷଣ ବ୍ୟବସାୟ ବୁଦ୍ଧିମତା ରଖିଥିବା ମୁକେଶ କିଛି ବର୍ଷ ଭିତରେ ସର୍ବଭାରତୀୟ ସ୍ତରରେ ୪ଜି ସ୍ପେକ୍ଟ୍ରମ କିଣିବାରେ ସଫଳ ହୋଇଥିଲେ ଓ ବିପୁଳ ପରିମାଣର ପୁଞ୍ଜିନିବେଶ କରି ଟେଲିକମ୍ କଂପାନି ଜିଓ ସ୍ଥାପନ କରିଥିଲେ। ରିଲାଏନ୍ସ ରିଟେଲ୍‌ ଜରିଆରେ ସେ ନିଜର ରିଟେଲ୍ ବ୍ୟବସାୟକୁ ମଧ୍ୟ ଦେଶର କୋଣ ଅନୁକୋଣରେ ପହଞ୍ଚାଇ ଦେଇଛନ୍ତି। ଏବେ ସେ ୧୦,୦୦୦ କୋଟି ଡଲାର ସମ୍ପତ୍ତିର ମାଲିକ ହୋଇ ବିଶ୍ବର ଷଷ୍ଠ ବଡ଼ ଧନୀ ଭାବେ ଉଭା ହୋଇଛନ୍ତି। କିଛି ଦିନ ତଳେ ସେ ବିଶ୍ବର ଚତୁର୍ଥ ବଡ଼ ଧନୀ ମାନ୍ୟତା ପାଇଥିଲେ। ମୁକେଶଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଉପରେ କୌଣସି ଋଣ ନାହିଁ। ନିକଟରେ ଫେସବୁକ୍‌ ସମେତ ବିଶ୍ବର ଅନେକ ସଂସ୍ଥା ମୁକେଶଙ୍କ ଟେଲିକମ୍ ତଥା ଡିଜିଟାଲ୍ ସଂସ୍ଥା ଜିଓରେ ଦେଢ଼ ଲକ୍ଷ କୋଟି ଟଙ୍କା ନିବେଶ କରିଛନ୍ତି। ଜିଓ ହେଉଛି ଦେଶର ଏକ ନମ୍ବର ଟେଲିକମ୍ କଂପାନି। ଅନିଲଙ୍କ ପାଖରେ ଥିବା ଟେଲିକମ୍ କଂପାନି ରିଲାଏନ୍ସ କମ୍ୟୁନିକେସନ୍ କିନ୍ତୁ ବନ୍ଦ ହୋଇଯାଇଛି। ମୁକେଶଙ୍କ ରିଲାଏନ୍ସ ରିଟେଲ୍ ହେଉଛି ଦେଶର ସବୁଠୁ ବଡ଼ ରିଟେଲ୍ କଂପାନି ଯାହା ନିୟମିତ ବ୍ୟବଧାନରେ କଂପାନି କିଣୁଛନ୍ତି। ନିକଟରେ ଏହା ନେଟ୍‌ମେଡସ୍‌କୁ କିଣିଥିବା ବେଳେ ବିଗ୍‌ ବଜାର ଭଳି ସଂସ୍ଥାକୁ କିଣିବା ଲାଗି ଉଦ୍ୟମ କରୁଛି।



from ବାଣିଜ୍ୟ – Sambad https://ift.tt/2EqDjmT

Post a Comment

0 Comments