ଅଭିବୃଦ୍ଧି ୧୧.୫% ଖସିବ: ମୁଡିସ୍

ନୂଆଦିଲ୍ଲୀ : ରେଟିଂ ଏଜେନ୍ସିଗୁଡ଼ିକ ଭାରତୀୟ ଅର୍ଥନୀତିକୁ ନେଇ ଯେଉଁ ଆଳକନ କରୁଛନ୍ତି ତାହା ଚିନ୍ତାର ବିଷୟ ପାଲଟିଛି। ଭାରତୀୟ ଅର୍ଥନୀତି ଚଳିତ ଆର୍ଥିକ ବର୍ଷରେ ୯ ପ୍ରତିଶତରୁ ଅଧିକ ହ୍ରାସ ପାଇବ ବୋଲି ଗତକାଲି ଅନ୍ୟତମ ପ୍ରମୁଖ ରେଟିଂ ଏଜେନ୍ସି କ୍ରିସିଲ୍ ଆକଳନ କରିଥିଲା। ଆଜି ବିଶ୍ବସ୍ତରୀୟ ରେଟିଂ ଏଜେନ୍ସି ମୁଡିସ୍‌ ଆକଳନ କରିଛି ଯେ ଭାରତୀୟ ଅର୍ଥନୀତିରେ ୧୧.୫ ପ୍ରତିଶତ ହ୍ରାସ ଘଟିବ। ପୂର୍ବରୁ ଏହି ସଂସ୍ଥା କହୁଥିଲା ଭାରତର ଅଭିବୃଦ୍ଧି ୪ ପ୍ରତିଶତ କମିବ। ମାତ୍ର ଚଳିତ ଆର୍ଥିକ ବର୍ଷ ପ୍ରଥମ ତିନି ମାସରେ ଅଭିବୃଦ୍ଧି ହାର ୨୩.୯ ପ୍ରତିଶତ କମିବା ପରେ ମୁଡିସ୍‌ ଏହାର ଆକଳନ ବଦଳାଇ ଦେଇଛି। ଆମେରିକାର ଏହି ରେଟିଂ ଏଜେନ୍ସି ଏହା ମଧ୍ୟ ଆକଳନ କରିଛି ଯେ ଭାରତର ଋଣ ଭାର ବଢ଼ିବ ଏବଂ ବିତ୍ତୀୟ ନିଅଣ୍ଟ ବେଲଗାମ ହେବ। ଆର୍ଥିକ ସ୍ଥିତି ଖରାପ ହେବା, ଋଣ ଭାର ବଢ଼ିବା ଓ ଅଭିବୃଦ୍ଧି ହାର କମ୍ ହେବା କାରଣରୁ ଦେଶର କ୍ରେଡିଟ୍‌ ରେଟିଂ ଉପରେ ଚାପ ସୃଷ୍ଟି ହୋଇଛି। କରୋନା ମହାମାରୀ ଏହି ସ୍ଥିତିକୁ ଆହୁରି ଜଟିଳ କରିଦେଇଛି ବୋଲି ମୁଡିସ୍‌ ପକ୍ଷରୁ କୁହାଯାଇଛି। ଯଦିଓ ଚଳିତ ଆର୍ଥିକ ବର୍ଷରେ ଭାରତୀୟ ଅର୍ଥନୀତିରେ ହ୍ରାସ ହେବ, କିନ୍ତୁ ବର୍ଷକ ପରେ ଅର୍ଥାତ ୨୦୨୧-୨୨ରେ ଦେଶର ଅଭିବୃଦ୍ଧି ହାର ୧୦.୬ ପ୍ରତିଶତ ଭଳି ଉଚ୍ଚ ସ୍ତରରେ ରହିବ ବୋଲି ଏହା ଆକଳନ କରିଛି। କେବଳ ମୁଡିସ୍ ନୁହେଁ, ଗୋଲ୍‌ଡମ୍ୟାନ୍ ସଚସ୍‌ ଆକଳନ ଅନୁସାରେ ଭାରତର ଅଭିବୃଦ୍ଧି ୧୪.୮ ପ୍ରତିଶତ ଓ ଇଣ୍ଡିଆ ରେଟିଙ୍ଗସ୍‌ ଆଣ୍ଡ୍ ରିସର୍ଚ ମତରେ ୧୧.୯ ପ୍ରତିଶତ ହ୍ରାସ ପାଇଛି। ଫିଚ୍‌ ଆକଳନ କରିଛି ଯେ ଭାରତର ଅଭିବୃଦ୍ଧି ୧୦.୫ ପ୍ରତିଶତ ହ୍ରାସ ପାଇବ। ରେଟିଂ ଏଜେନ୍ସିଗୁଡ଼ିକୁ ଗୁରୁତ୍ବ ନଦେବା ଲାଗି କିଛି ଦିନ ତଳେ ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ସରକାରଙ୍କୁ ପରାମର୍ଶ ଦେଇଥିଲେ।



from ବାଣିଜ୍ୟ – Sambad https://ift.tt/2Ri8fZh

Post a Comment

0 Comments