
ନୂଆଦିଲ୍ଲୀ: ଇଣ୍ଡିଆନ ରେଲ୍ୱେ କ୍ୟାଟରିଂ ଆଣ୍ଡ୍ ଟୁରିଜିମ୍ କର୍ପୋରେସନ (ଆଇଆରସିଟିସି)ର ୧୫-୨୦ ପ୍ରତିଶତ ଅଂଶଧନକୁ ବିକ୍ରି କରିବା ଲାଗି କେନ୍ଦ୍ର ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ଏବେ ଏହି ସଂସ୍ଥାରେ ସରକାରଙ୍କ ୮୭.୪୦ ପ୍ରତିଶତ ଅଂଶଧନ ରହିଛି। ମାତ୍ର ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିୟମ ଅନୁସାରେ ସେହି ଅଂଶଧନ ମାତ୍ରାକୁ ୭୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିବାକୁ ପଡ଼ିବ। ୨୦୧୯ରେ ସରକାର ଆଇଆର୍ସିଟିସିକୁ ଷ୍ଟକ ବଜାରରେ ତାଲିକାଭୁକ୍ତ କରିଥିଲେ। ଏବେ ବମ୍ବେ ଷ୍ଟକ ବଜାରରେ କଂପାନିର ସେୟାର ପିଛା ଦାମ୍ ୧୩୭୮ ଟଙ୍କା ରହିଛି।
ଚଳିତ ଆର୍ଥିକ ବର୍ଷରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଓ ସରକାରୀ ଆର୍ଥିକ ସଂସ୍ଥାଗୁଡ଼ିକରୁ ପୁଞ୍ଜି ପ୍ରତ୍ୟାହାର କରି ୨.୧୦ ଲକ୍ଷ କୋଟି ଟଙ୍କା ପାଇବାକୁ ବଜେଟ୍ରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସରକାରୀ ଉଦ୍ୟୋଗ ପୁଞ୍ଜି ପ୍ରତ୍ୟାହାରରୁ ୧.୨୦ ଲକ୍ଷ କୋଟି ଟଙ୍କା ଓ ଆର୍ଥିକ ସଂସ୍ଥାର ଅଂଶଧନ ବିକ୍ରି କରି ୯୦ ହଜାର କୋଟି ଟଙ୍କା ପାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। କରୋନା ମହାମାରୀର ପ୍ରଭାବ ଲାଗି ରହିଥିବାରୁ ପୁଞ୍ଜିପ୍ରତ୍ୟାହାର ଯୋଜନା ଆଗକୁ ବଢ଼ିପାରିନାହିଁ। ଆଇଆର୍ସିଟିସି ଅଂଶଧନ ବିକ୍ରି କରି ସରକାର ଏହି ପ୍ରକ୍ରିୟାକୁ ଆଗକୁ ବଢ଼ାଇବାକୁ ଚାହୁଛନ୍ତି। ଅଂଶଧନ କିଣାବିକାରେ ଭାଗ ନେବା ଲାଗି ମର୍ଚାଣ୍ଟ୍ ବ୍ୟାଙ୍କରମାନଙ୍କ ଠାରୁ ଆବେଦନ ଆହ୍ବାନ କରାଯାଇଥିଲା। ଆଇଆର୍ସିଟିସିର କେତେ ଅଂଶଧନ ବିକ୍ରି ହେବ ତାହା ସେମାନେ ଜାଣିବାକୁ ଚାହିଥିଲେ। କଂପାନି ଆଜି ନିଜ ୱେବସାଇଟ୍ରେ ତାହାର ଉତ୍ତର ଦେଇଛି। ୧୫-୨୦ ପ୍ରତିଶତ ପର୍ଯ୍ୟନ୍ତ ଅଂଶଧନ ବିକ୍ରି କରିବାକୁ ସରକାର ଯୋଜନା ରଖିଥିବା ଏହା ଜଣାଇଛି। ପୁଞ୍ଜି ପ୍ରତ୍ୟାହାର ଲାଗି କେନ୍ଦ୍ର ସରକାର ୨୬ଟି ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଚିହ୍ନଟ କରିଛନ୍ତି। ସେଥିରେ ଏୟାର ଇଣ୍ଡିଆ, ପୱନ ହଂସ ଲିମିଟେଡ୍, କନ୍କର୍, ବିପିସିଏଲ୍, ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ ଭଳି ଅନେକ ଲୋକପ୍ରିୟ ସଂସ୍ଥାର ନାମ ରହିଛି।
from ବାଣିଜ୍ୟ – Sambad https://ift.tt/3jZPZ3j
0 Comments