ଜିଏସ୍‌ଟି କ୍ଷତିପୂରଣ: ୨୦ଟି ରାଜ୍ୟକୁ କେନ୍ଦ୍ରର ଅନୁମତି, ଓଡ଼ିଶା ଅଧିକ ୨୮୫୮ କୋଟି ଋଣ ଆଣିପାରିବ

 

ନୂଆଦିଲ୍ଲୀ: ଜିଏସ୍‌ଟି କ୍ଷତିପୂରଣକୁ ନେଇ ଯେଉଁ ରାଜ୍ୟଗୁଡ଼ିକ କେନ୍ଦ୍ର ସରକାରଙ୍କ ପ୍ରଥମ ପ୍ରସ୍ତାବ ଗ୍ରହଣ କରିଥିଲେ ସେମାନଙ୍କୁ ଖୋଲା ବଜାରରୁ ଅଧିକ ଋଣ ଆଣିବାର ଅନୁମତି ପ୍ରଦାନ କରାଯାଇଛି। ଅତିରିକ୍ତ ୬୮,୮୨୫ କୋଟି ଟଙ୍କାର ଋଣ ଆଣିବା ଲାଗି ୨୦ଟି ରାଜ୍ୟକୁ କେନ୍ଦ୍ର ସରକାର ଆଜି ଅନୁମତି ଦେଇଛନ୍ତି। ଏହି ରାଜ୍ୟଗୁଡ଼ିକ ରାଜ୍ୟ ମୋଟ ଘରୋଇ ଉତ୍ପାଦ (ଜିଏସ୍‌ଡିପି)ର ୦.୫ ପ୍ରତିଶତ ମୂଲ୍ୟ ସହ ସମାନ ପରିମାଣର ଅଧିକ ଋଣ ଆଣିପାରିବେ। କୋଭିଡ୍-୧୯ ମହାମାରୀର ପ୍ରଭାବକୁ ନଜରରେ ରଖି ରାଜ୍ୟଗୁଡ଼ିକୁ ଜିଏସ୍‌ଡିପିର ୨% ପର୍ଯ୍ୟନ୍ତ ଋଣ ଆଣିବାର ଅନୁମତି ଦିଆଯାଇଥିଲା। ତେବେ ପ୍ରଥମ ପ୍ରସ୍ତାବକୁ ଗ୍ରହଣ କରିଥିବା ରାଜ୍ୟଗୁଡ଼ିକୁ ଜିଏସ୍‌ଡିପିର ଆଉ ୦.୫ ପ୍ରତିଶତ ଅଧିକ ଋଣ କରିବା ଲାଗି ଅନୁମତି ଦିଆଯାଇଛି।

ତିନି ଥର ବୈଠକ ପରେ ବି ସମାଧାନ ହୋଇପାରୁନି

ଏଥିପାଇଁ ପୂର୍ବରୁ ରହିଥିବା ସର୍ତ୍ତକୁ ମଧ୍ୟ ବାଦ ଦିଆଯାଇଛି। ଜିଏସ୍‌ଟି କ୍ଷତିପୂରଣ ରାଶି ପାଇବା ପାଇଁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ଦୁଇଟି ପ୍ରସ୍ତାବ ଦେଇଥିଲେ। ପ୍ରଥମ ପ୍ରସ୍ତାବଟି ଥିଲା ୧.୧ ଲକ୍ଷ ‌କୋଟି ଟଙ୍କାର ଋଣ ଓ ଦ୍ବିତୀୟ ପ୍ରସ୍ତାବ ଥିଲା ୨.୩୫ ଲକ୍ଷ କୋଟି ଟଙ୍କାର ଋଣ‌ ନେବା। ପ୍ରଥମ ପ୍ରସ୍ତାବର ପ୍ରମୁଖ ବିଶେଷତ୍ବ ଥିଲା ଏହି ଋଣ ରାଜ୍ୟଗୁଡ଼ିକ ଖାତାରେ ଋଣ ଭାବେ ପ୍ରଦର୍ଶିତ ହେବ ନାହିଁ। କେନ୍ଦ୍ର ଠାରୁ ସେସ୍‌ ବାବଦ ରାଶି ମିଳିବା ପରେ ସେମାନେ ସେହି ଟଙ୍କାରେ ଏହି ଋଣ ପରିଶୋଧ କରିବେ। ପ୍ରାଥମିକ ପର୍ଯ୍ୟାୟରେ ପ୍ରଥମ ପ୍ରସ୍ତାବରେ ୯୭ ହଜାର କୋଟି ଟଙ୍କାର ଋଣ ନେବାକୁ ରାଜ୍ୟଗୁଡ଼ିକୁ କୁହାଯାଇଥିଲା। କିନ୍ତୁ ଆଲୋଚନା ପରେ ସେହି ରାଶି ପରିମାଣ ୧.୧ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ପ୍ରଥମ ବିକଳ୍ପକୁ ଆନ୍ଧ୍ରପ୍ରଦେଶ, ଅରୁଣାଚଳପ୍ରଦେଶ, ଆସାମ, ବିହାର, ଗୋଆ, ଗୁଜରାଟ, ହରିୟାଣା, ହିମାଚଳପ୍ରଦେଶ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ମେଘାଳୟ, ମିଜୋରାମ, ନାଗାଲ୍ୟାଣ୍ଡ୍‌, ଓଡ଼ିଶା, ସିକିମ୍, ତ୍ରିପୁରା, ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ ଗ୍ରହଣ କରିଛନ୍ତି। ଆଠଟି ରାଜ୍ୟ କୌଣସି ବିକଳ୍ପ ଗ୍ରହଣ କରିନାହାନ୍ତି।

ଏହି ନିଷ୍ପତ୍ତି ଅନୁସାରେ ଓଡ଼ିଶା ସରକାର ଖୋଲା ବଜାରରୁ ୨୮୫୮ କୋଟି ଟଙ୍କାର ଋଣ କରିପାରିବେ। ମହାରାଷ୍ଟ୍ର ସର୍ବାଧିକ ୧୫, ୩୯୪ କୋଟି ଟଙ୍କାର ଋଣ କରିପାରିବ। କର୍ଣ୍ଣାଟକ, ଗୁଜରାଟ ଓ ଉତ୍ତରପ୍ରଦେଶ ମଧ୍ୟ ୮-୯୦୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ କରିପାରିବେ। ଜିଏସ୍‌ଟି କ୍ଷତିପୂରଣ ରାଶିକୁ ରାଜ୍ୟଗୁଡ଼ିକ ଭାରତୀୟ ରିଜର୍ଭ ବ୍ୟାଙ୍କରେ କରାଯିବାକୁ ଥିବା ସ୍ବତନ୍ତ୍ର ବ୍ୟବସ୍ଥାରୁ ଋଣ ଆକାରରେ ହାସଲ କରିପାରିବେ। ଏନେଇ ରିଜର୍ଭ ବ୍ୟାଙ୍କ ସହ ଅର୍ଥ ମନ୍ତ୍ରଣାଳୟ ଆଲୋଚନା କରିସାରିଛି। ତେବେ ଜିଏସ୍‌ଟି କ୍ଷତିପୂରଣକୁ ନେଇ କେନ୍ଦ୍ର ଓ ରାଜ୍ୟଗୁଡ଼ିକ ମଧ୍ୟରେ ରହିଥିବା ମତଭେଦ ସମ୍ପୂର୍ଣ୍ଣ ଦୂର ହୋଇନାହିଁ। ଇତି ମଧ୍ୟରେ ଜିଏସ୍‌ଟି ପରିଷଦର ତିନିଟି ବୈଠକରେ ଏହି ପ୍ରସଙ୍ଗ ଉପରେ ଦୀର୍ଘ ସମୟ ଆଲୋଚନା ହୋଇସାରିଲାଣି। ଆଠଟି ରାଜ୍ୟ ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଅଣ-ବିଜେପି ଶାସିତ ରାଜ୍ୟ ସେମାନେ କେନ୍ଦ୍ର ଦେଇଥିବା ପ୍ରସ୍ତାବକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି। ସେମାନଙ୍କ ସହ ଆଲୋଚନା ଜାରି ରହିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତକାଲି କହିଥିଲେ। ଗତକାଲି ଜିଏସ୍‌ଟି ପରିଷଦ ବୈଠକରେ ଏହି ପ୍ରସଙ୍ଗରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା।

The post ଜିଏସ୍‌ଟି କ୍ଷତିପୂରଣ: ୨୦ଟି ରାଜ୍ୟକୁ କେନ୍ଦ୍ରର ଅନୁମତି, ଓଡ଼ିଶା ଅଧିକ ୨୮୫୮ କୋଟି ଋଣ ଆଣିପାରିବ first appeared on Sambad.



from ବାଣିଜ୍ୟ – Sambad https://ift.tt/3drbMPk

Post a Comment

0 Comments