ଗୁଗୁଲ୍‌ ବିରୋଧରେ ଆପ୍‌ ପ୍ରତିଷ୍ଠାତାଙ୍କ ମେଳି, ୩୦% କମିସନକୁ ନେଇ ଚିନ୍ତାରେ ଅନେକ ସଂସ୍ଥା

ନୂଆଦିଲ୍ଲୀ: ମୋବାଇଲ୍‌ ଆପ୍ ଜରିଆରେ କାରବାର କରୁଥିବା ଭାରତୀୟ ସଂସ୍ଥାଗୁଡ଼ିକ ଗୁଗୁଲ୍‌ର ପେମେଣ୍ଟ୍‌ ନୀତିକୁ ନେଇ ଚିନ୍ତିତ ହୋଇପଡ଼ିଛନ୍ତି। ସେମାନେ ଏହି ନୀତି ବିରୋଧରେ କେନ୍ଦ୍ର ସରକାରଙ୍କ ନିକଟରେ ଅଭିଯୋଗ ଦାଖଲ କରିବା ସହ ସମାଧାନ ବାଟ ବାହାର କରିବାକୁ ଅନୁରୋଧ କରିଛନ୍ତି। ଦେଶରେ ପ୍ରାୟ ୯୦ ପ୍ରତିଶତ ମୋବାଇଲ୍‌ ଫୋନ୍‌ରେ ଗୁଗୁଲ୍‌ର ଆଣ୍ଡ୍ରଏଡ୍‌ ଅପରେଟିଂ ସିଷ୍ଟମ୍ ରହିଛି। ତେଣୁ ଆପ୍ ଭିତରେ ହେଉଥିବା ସବୁ ପ୍ରକାର ପେମେଣ୍ଟ୍ ଲାଗି ଭାରତୀୟ କଂପାନିଗୁଡ଼ିକ ଗୁଗୁଲ୍‌ର ସେବା ବ୍ୟବହାର କରିବାକୁ ବାଧ୍ୟ। ସେମାନଙ୍କ ଉପରେ ୩୦ ପ୍ରତିଶତ ଭଳି ଶୁଳ୍କକୁ କମିସନ ଆକାରରେ ଲାଗୁ କରିବା ବେଆଇନ। ଏଭଳିକି ବଡ଼ ବଡ଼ କଂପାନି ମଧ୍ୟ ଏବେ ମୋଟା ଅଙ୍କର କମିସନ ଦେଇପାରିବେ ନାହିଁ ବୋଲି ଷ୍ଟାର୍ଟଅପ୍ ଓ ପ୍ରଯୁକ୍ତି ସଂସ୍ଥାର ମାଲିକମାନେ ସରକାରଙ୍କୁ ଜଣାଇଛନ୍ତି।

‌ମୋବାଇଲ୍‌ ଆପ୍ ଭିତରେ ହେଉଥିବା କିଣାକିଣି ଉପରେ ଗୁଗୁଲ୍ ୩୦ ପ୍ରତିଶତ ଶୁଳ୍କ ଲାଗୁ କରିଛି। ଅନ୍ୟ ଦେଶଗୁଡ଼ିକରେ ଗୁଗୁଲ୍‌ର ଏହି ନୀତି ପୂର୍ବରୁ ପ୍ରଚଳନରେ ରହିଛି। ତାହାକୁ ଭାରତରେ କାର୍ଯ୍ୟକାରୀ କରିବା ବିଷୟରେ ଗୁଗୁଲ୍ ଘୋଷଣା କରିବା ପରେ ଭାରତୀୟ ସଂସ୍ଥାଗୁଡ଼ିକ ଚିନ୍ତିତ ହୋଇପଡ଼ିଛନ୍ତି। ଗୁଗୁଲ୍‌ର ଏହି ନୀତି ଭାରତର ସବୁ ପ୍ରକାର ଆପ୍ ଭିତ୍ତିକ ବ୍ୟାବସାୟିକ ସଂସ୍ଥାକୁ ପ୍ରଭାବିତ କରିବ। ଯଦିଓ ଗୁଗୁଲ୍ ଏହି ଶୁଳ୍କକୁ କମିସନ ବୋଲି କହୁଛି, ମାତ୍ର ତାହା ଟିକସ ଠାରୁ କିଛି କମ୍ ନୁହେଁ ବୋଲି ଟ୍ରୁଲିମ୍ୟାଡ୍‌ଲି ନାମକ ମୋବାଇଲ୍‌ ଆପ୍‌ର ସିଇଓ ସ୍ନେହିଲ୍ ଖାନୋର କହିଛନ୍ତି।

ଭାରତରେ ଷ୍ଟାର୍ଟଅପ୍ ଓ ଇଣ୍ଟରନେଟ୍ କଂପାନିଗୁଡ଼ିକର ସଂଘ ଦି ଇଣ୍ଟରନେଟ୍‌ ଆଣ୍ଡ୍‌ ମୋବାଇଲ୍ ଆସୋସିଏସନ ଅଫ୍‌ ଇଣ୍ଡିଆ (ଆଇଏଏମ୍‌ଏଆଇ) ଅଧୀନରେ ଦେଶର ୨୫ଟି ପ୍ରମୁଖ ଷ୍ଟାର୍ଟଅପ୍ ଓ ପ୍ରଯୁକ୍ତି ସଂସ୍ଥାର ପ୍ରତିଷ୍ଠାତା ଏକତ୍ରୀତ ହୋଇ ଏହି ପ୍ରସଙ୍ଗରେ ଆଲୋଚନା କରିଥିଲେ। ପେଟିଏମ୍, ପଲିସି ବଜାର ଡଟ୍‌ କମ୍, ମାଟ୍ରିମୋନି ଡଟ୍‌ କମ୍, ସିସି ଆଭେନ୍ୟୁ, ଫୋନ୍‌ପେ, ରେଜରପେ, ଡ୍ରିମ୍ ୧୧, ସେୟାରଚାଟ୍ ଏବଂ ପେମେଣ୍ଟ୍‌ କାଉନ୍ସିଲ୍ ଅଫ୍ ଇଣ୍ଡିଆ ଭଳି ସଂସ୍ଥାର ମୁଖ୍ୟ ଏଥିରେ ଅଂଶଗ୍ରହଣ କରିଥିଲେ। ଗୁଗୁଲ୍‌ ବିରୋଧ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ତାହାର ସମ୍ଭାବନାକୁ ନେଇ ବୈଠକରେ ଆଲୋଚନା ହୋଇଥିଲା। ଭାରତୀୟ ରିଜର୍ଭ ବ୍ୟାଙ୍କ ଓ ଭାରତୀୟ ପ୍ରତିଯୋଗିତା କମିସନଙ୍କ ନିକଟରେ ଗୁଗୁଲ୍‌ ବିରୋଧରେ ଅଭିଯୋଗ ଦାଖଲ କରିବା ଉପରେ ଆଇଏଏମ୍‌ଏଆଇ ବିଚାର କରୁଛି।



from ବାଣିଜ୍ୟ – Sambad https://ift.tt/36w2wI9

Post a Comment

0 Comments