
ଭାରତୀୟ ସମ୍ବିଧାନର ଧାରା ୧୧୨ ଅନୁସାରେ ବଜେଟ୍ ହେଉଛି ଏକ ନିର୍ଦିଷ୍ଟ ଆର୍ଥିକ ବର୍ଷ ପାଇଁ ସରକାରଙ୍କ ଆୟ ଓ ବ୍ୟୟର ଆକଳନ। ଆଲୋଚନା ଆଧାରରେ ବଜେଟ୍ ତିଆରି କରାଯାଏ। ଅର୍ଥ ମନ୍ତ୍ରଣାଳୟ, ନିତି ଆୟୋଗ ଏବଂ ବ୍ୟୟ ବିଭାଗ ଏଥିରେ ପ୍ରମୁଖ ଭୂମିକା ନିର୍ବାହ କରିଥାନ୍ତି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବ୍ୟୟ ସମ୍ପର୍କିତ ଗାଇଡ୍ଲାଇନ୍ ଜାରି କରାଯାଏ। ସେହି ଅନୁସାରେ ବିଭିନ୍ନ ମନ୍ତ୍ରଣାଳୟ ନିଜର ଖର୍ଚ୍ଚ ଦାବି ଉପସ୍ଥାପନ କରନ୍ତି। ଅର୍ଥ ମନ୍ତ୍ରଣାଳୟ ଅଧୀନରେ ଥିବା ଅର୍ଥନୈତିକ ବ୍ୟାପାର ବିଭାଗର ବଜେଟ୍ ଡିଭିଜନ୍ ଦ୍ବାରା ବଜେଟ୍ ପ୍ରସ୍ତୁତ କରାଯାଏ।
କିଭଳି ତିଆରି ହୁଏ?
ଆସନ୍ତା ଆର୍ଥିକ ବର୍ଷର ବ୍ୟୟ ଆକଳନ ଉପସ୍ଥାପନ କରିବା ଲାଗି ବଜେଟ୍ ଡିଭିଜନ୍ ପକ୍ଷରୁ କେନ୍ଦ୍ର ସରକାରଙ୍କ ସମସ୍ତ ମନ୍ତ୍ରଣାଳୟ, ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ, ସ୍ବୟଂଶାସିତ ସଂସ୍ଥା, ବିଭାଗ ଏବଂ ପ୍ରତିରକ୍ଷା ବିଭାଗ ପାଇଁ ସର୍କୁଲାର ଜାରି କରାଯାଏ। ସବୁ ଆଡ଼ୁ ଦାବି ଆସିବା ପରେ ଅର୍ଥ ମନ୍ତ୍ରଣାଳୟ ଓ ବ୍ୟୟ ବିଭାଗ ସେଗୁଡ଼ିକର ତର୍ଜମା କରନ୍ତି ଓ ସେ ବିଷୟରେ ବିଭିନ୍ନ ମନ୍ତ୍ରଣାଳୟ ସହ ଆଲୋଚନା କରନ୍ତି। ସେହି ସମୟରେ ଅର୍ଥନୈତିକ ବ୍ୟାପାର ବିଭାଗ ଓ ରାଜସ୍ବ ବିଭାଗ ପକ୍ଷରୁ ଚାଷୀଙ୍କ ଠାରୁ ଆରମ୍ଭ କରି ବ୍ୟବସାୟୀ, ବିଦେଶୀ ନିବେଶକ, ଅର୍ଥନୀତିଜ୍ଞ ଓ ନାଗରିକ ସମାଜ ସହ ଆଲୋଚନା କରାଯାଏ। ପ୍ରାକ ବଜେଟ୍ ଆଲୋଚନା ଶେଷ ହେବା ପରେ ଟିକସ ପ୍ରସ୍ତାବ ପ୍ରସ୍ତୁତ ହୋଇଥାଏ। ସମସ୍ତ ପ୍ରସ୍ତାବ ବିଷୟରେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରାଯିବା ପରେ ତାହାକୁ ଚୁଡ଼ାନ୍ତ କରାଯାଇଥାଏ।
କିଭଳି ଉପସ୍ଥାପନ ହୁଏ?
ଲୋକସଭା ସେକ୍ରେଟାରିଏଟ୍ର ସାଧାରଣ ସମ୍ପାଦକ ବଜେଟ୍ ଉପସ୍ଥାପନ କରିବା ଲାଗି ରାଷ୍ଟ୍ରପତି ଓ ବାଚସ୍ପତିଙ୍କୁ ଏକ ତାରିଖ ବିଷୟରେ ଅବଗତ କରନ୍ତି। ସେହି ତାରିଖରେ ଅର୍ଥମନ୍ତ୍ରୀ ଲୋକସଭାରେ ବଜେଟ୍କୁ ଉପସ୍ଥାପନ କରିଥାନ୍ତି। କ୍ୟାବିନେଟ୍ ପାଇଁ ସେ ବଜେଟ୍ର ଏକ ସଂକ୍ଷୀପ୍ତ ରୂପ ପ୍ରସ୍ତୁତ କରିଥାନ୍ତି ଯାହାକୁ ସେ ସେହିଦିନ ପଢ଼ିଥାନ୍ତି। ତାହାକୁ ଅର୍ଥମନ୍ତ୍ରୀଙ୍କ ବଜେଟ୍ ଅଭିଭାଷଣ କୁହାଯାଏ। ଟିଭିରେ ତାହାର ସିଧା ପ୍ରସାରଣ କରାଯାଏ।
ବଜେଟ୍କୁ ଗୋପନ ରଖାଯାଏ
ବଜେଟ୍ ଦଲିଲକୁ ଗୋପନ ରଖିବା ଲାଗି ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା ରହିଛି। ବଜେଟ୍ ଛପାଇବା କାର୍ଯ୍ୟରେ ଯେଉଁମାନେ ନିୟୋଜିତ ହୋଇଥାନ୍ତି ସେମାନଙ୍କୁ ଗୋଟିଏ ସ୍ଥାନରେ ୧୦ ଦିନ ପର୍ଯ୍ୟନ୍ତ ରଖାଯାଏ। ହାଲ୍ୱା କାର୍ଯ୍ୟକ୍ରମରୁ ଏହି ପ୍ରକ୍ରିୟା ଆରମ୍ଭ ହୁଏ। ଅର୍ଥମନ୍ତ୍ରୀଙ୍କ ଉପସ୍ଥିତିରେ ସେହିଦିନ ହାଲୱା ପ୍ରସ୍ତୁତ କରି ବଣ୍ଟନ କରାଯାଏ। ଏହା ପରେ ପ୍ରାୟ ୧୦୦ ଅଧିକାରୀ ଓ କର୍ମଚାରୀଙ୍କୁ ନର୍ଥ ବ୍ଲକ୍ର ଏକ ନିର୍ଦିଷ୍ଟ ସ୍ଥାନରେ ବନ୍ଦ ରଖାଯାଏ। ସେମାନଙ୍କ ଖାଇବା, ପିଇବା, ରହିବାର ସମସ୍ତ ବ୍ୟବସ୍ଥା ଭିତରେ କରାଯାଏ। ବଜେଟ୍ ପ୍ରସ୍ତୁତିରେ ନିୟୋଜିତ ହୋଇଥିବା ଲୋକମାନଙ୍କ ଉପରେ ଚବିଶ ଘଣ୍ଟା ନଜର ରଖାଯାଏ। କେହି ଫୋନ୍ ବ୍ୟବହାର କରନ୍ତି ନାହିଁ। ସୁରକ୍ଷାକର୍ମୀମାନେ ଦୁର୍ଗ ଭଳି ସେହି ଅଂଚଳକୁ ଜଗିଥାନ୍ତି। କମ୍ପ୍ୟୁଟରଗୁଡ଼ିକରୁ ଇ-ମେଲ୍ ସଂଯୋଗ କାଟି ଦିଆଯାଏ। ବଜେଟ୍ ପ୍ରସ୍ତୁତିରେ ଅର୍ଥ ମନ୍ତ୍ରଣାଳୟର ଲୋକମାନଙ୍କ ବ୍ୟତୀତ ଆଇନ ବିଶେଷଜ୍ଞ, କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ, କେନ୍ଦ୍ରୀୟ ଉତ୍ପାଦ, ସୀମା ଶୁଳ୍କ ଓ ଜିଏସ୍ଟି ବୋର୍ଡର ଅଧିକାରୀ ନିୟୋଜିତ ହୋଇଥାନ୍ତି। ବଜେଟ୍ ଉପସ୍ଥାପନ ହେବାର କିଛି ଦିନ ପୂର୍ବରୁ ପିଆଇବିର ଅଧିକାରୀମାନଙ୍କୁ ଭିତରକୁ ଭର୍ତି କରାଯାଏ। ସେମାନେ ପ୍ରେସ୍ ବିଜ୍ଞପ୍ତି ତିଆରି କରିଥାନ୍ତି। ବଜେଟ୍ କାଗଜପତ୍ର କେବଳ ଯୁଗ୍ମ ସଚିବ (ବଜେଟ୍ ଡିଭିଜନ)ଙ୍କ ପାଖରେ ରହିଥାଏ। ୧୯୫୦ ପର୍ଯ୍ୟନ୍ତ ରାଷ୍ଟ୍ରପତି ଭବନରେ ବଜେଟ୍ ଛପା ହେଉଥିଲା। ମାତ୍ର ସେହି ବର୍ଷ ତାହା ଲିକ୍ ହୋଇଯିବାରୁ ମିଣ୍ଟୋ ରୋଡ୍ରେ ଥିବା ଛାପାଖାନାରେ ବଜେଟ୍ ଛପା ହେଉଥିଲା। ୧୯୮୦ ପରଠାରୁ ଆଜି ପର୍ଯ୍ୟନ୍ତ ନର୍ଥ ବ୍ଲକ୍ର ବେସ୍ମେଣ୍ଟ୍ରେ ଛପା କାର୍ଯ୍ୟ କରାଯାଉଛି। ବଜେଟ୍ ବିଷୟରେ ସୂଚନା ଲିକ୍ କରିବାକୁ ଦଣ୍ଡନୀୟ ଅପରାଧ ବର୍ଗରେ ସାମିଲ କରାଯାଇଛି।
from ବାଣିଜ୍ୟ – Sambad https://ift.tt/33pxQGL
0 Comments