‘ନିଲାମ ତତ୍ତ୍ବ’କୁ କାହିଁକି ଦିଆଗଲା ନୋବେଲ୍‌

ନୂଆଦିଲ୍ଲୀ: ଚଳିତ ବର୍ଷ ଅର୍ଥନୀତି ସେବା ପାଇଁ ଆମେରିକାର ଦୁଇ ଅର୍ଥନୀତିଜ୍ଞ ପଲ୍‌ ମିଲ୍‌ଗ୍ରୋମ୍ ଓ ରବର୍ଟ ୱିଲ୍‌ସନ୍‌ଙ୍କୁ ନୋବେଲ୍‌ ପୁରସ୍କାର ବିଜେତା ଘୋଷଣା କରାଯାଇଛି। ଏହି ଦୁଇ ଅର୍ଥନୀତିଜ୍ଞ ନିଲାମ ତତ୍ତ୍ବ‌ ବିକଶିତ କରିବାରେ ଅଗ୍ରଦୂତ ସାଜିଥିଲେ। ଷ୍ଟାନଫୋର୍ଡ ବିଶ୍ବବିଦ୍ୟାଳୟର ଏହି ଶିକ୍ଷକ-ବିଦ୍ୟାର୍ଥୀ ଦ୍ବୟ ଯେଉଁ ନିଲାମ ତତ୍ତ୍ବ ବିକଶିତ କରିଥିଲେ ତାହାକୁ ଆମେରିକା, ବ୍ରିଟେନ୍ ଓ ଭାରତ ଆଦି ଅନେକ ଦେଶରେ ବ୍ୟବହାର କରାଯାଉଛି। ଘର, ଗାଡ଼ି ଠାରୁ ଆରମ୍ଭ କରି ଖଣି ଓ ରେଡିଓ ତରଙ୍ଗ ପର୍ଯ୍ୟନ୍ତ ବହୁତ କିଛି ନିଲାମ ହେଉଛି। ମୌଳିକ ଗବେଷଣା କିଭଳି ନବସୃଜନରେ ସହାୟକ ହୋଇଥାଏ ତାହାର ଏକ ବଳିଷ୍ଠ ଉଦାହରଣ ହେଉଛି ନିଲାମ ତତ୍ତ୍ବ ବୋଲି ରୟାଲ୍ ସ୍ବିଡିସ୍‌ ଏକାଡେମି ଅଫ୍‌ ସାଇନ୍‌ସେସ୍‌ ପକ୍ଷରୁ ଆଜି କୁହାଯାଇଛି।

‘ନିଲାମ ତତ୍ତ୍ବ’: ନିଲାମ ତତ୍ତ୍ବ ହେଉଛି ଏକ ଅବାଧ ବଜାରରେ ସମ୍ବଳ କିମ୍ବା ବ୍ୟବସାୟ ଉପାଦାନର ଉତ୍କୃଷ୍ଟ ବ୍ୟବହାର ପାଇଁ ତାହାକୁ ଶ୍ରେଷ୍ଠ ବିଡ୍‌ ଦାଖଲକାରୀଙ୍କୁ ସ୍ବଚ୍ଛତାର ସହ ଆବଣ୍ଟନ କରିବାର ବ୍ୟବସ୍ଥା। ଏହା ହେଉଛି ପ୍ରୟୋଗାତ୍ମକ ଅର୍ଥନୀତିର ଏକ ଶାଖା। ଅଧିକ ମୂଲ୍ୟ ଦେଉଥିବା ବ୍ୟକ୍ତିଙ୍କୁ ସାମଗ୍ରୀ ବିକିବା କିମ୍ବା ସବୁଠୁ କମ୍ ମୂଲ୍ୟରେ ସାମଗ୍ରୀ କିଣିବା ଲାଗି ଉଦ୍ୟମ ହୋଇଥାଏ। ବର୍ତ୍ତମାନର ଜଗତ୍‌କରଣ ବଜାର ଏବଂ ନିୟମିତ ଭାବେ ଯେଉଁଭଳି ପ୍ରଯୁକ୍ତିରେ ଉନ୍ନତି ଘଟୁଛି ସେଠାରେ ବିପୁଳ ମୂଲ୍ୟର ସମ୍ବଳ ପ୍ରତିଦିନ ନିଲାମ ହୋଇ ଗୋଟିଏ ହାତରୁ ଅନ୍ୟ ହାତକୁ ଯାଉଛି। ଘର, କାର୍‌, ଦୋକାନଠାରୁ ଆରମ୍ଭ କରି ବିଦ୍ୟୁତ, ଟେଲିକମ୍ ସ୍ପେକ୍ଟ୍ରମ୍, ଖଣିଜ ପଦାର୍ଥ ଏବଂ ମୂଲ୍ୟବାନ ଧାତୁ ଆଦି ସବୁ କିଛି ନିଲାମ ହେଉଛି। ନିଲାମ ଜରିଆରେ ସରକାର ଟ୍ରେଜେରି ବିଲ୍, ବୈଦେଶିକ ମୁଦ୍ରା, ତୈଳ କ୍ଷେତ୍ର, ଜମି, ବିମାନବନ୍ଦର, ରେଳବାଇ ସମ୍ପତ୍ତି ଏବଂ ସେହି ଧରଣର ସମ୍ବଳଗୁଡ଼ିକୁ ବିକ୍ରି କରୁଛିନ୍ତି।

ସମାଜର ଉପେକ୍ଷୀତ ବର୍ଗର ଲୋକମାନଙ୍କ ପାଖରେ ଖାଦ୍ୟ ସାମଗ୍ରୀ ପହଞ୍ଚାଇବାର ଲାଗି ଯେଉଁ ଖାଦ୍ୟଶସ୍ୟ ସଂଗ୍ରହ କରାଯାଏ ତାହା ମଧ୍ୟ ନିଲାମ ଜରିଆରେ ସମ୍ପାଦିତ ହେଉଛି। ତେଣୁ ଏକ ଅବାଧ-ବଜାର ସମାଜରେ ପ୍ରତିଟି ଲୋକଙ୍କ ଜୀବନରେ ନିଲାମର ପ୍ରଭାବ ରହିଛି। ନିଲାମର ପ୍ରଭାବ ଏଭଳି ଯେ ଯଦି ବିଦ୍ୟୁତ ଉତ୍ପାଦନ କିମ୍ବା ବିତରଣ ଆଦି ଅଧିକ ବିଡ୍‌ ଦାଖଲ କରିଥିବା ସଂସ୍ଥାକୁ ଦିଆଯିବ ତେବେ ଘର ଓ କାର୍ଯ୍ୟାଳୟର ବିଦ୍ୟୁତ ବିଲ୍ ଆପେ ବଢ଼ିଯିବ। ଅର୍ଥନୀତିଜ୍ଞ ପଲ୍‌ ମିଲ୍‌ଗ୍ରୋମ୍ ଓ ରବର୍ଟ ୱିଲ୍‌ସନ୍‌ ନିଲାମ ତତ୍ତ୍ବ ଉପରେ ଗବେଷଣା କରିଥିଲେ। ନିଲାମ ପାଇଁ ରହିଥିବା ବିଭିନ୍ନ ପ୍ରକାର ନିୟମ ଏବଂ ଚୂଡ଼ାନ୍ତ ମୂଲ୍ୟକୁ ସେମାନେ ଅନୁଶୀଳନ କରିଥିଲେ। ନିଲାମ ଢାଞ୍ଚାର ଅନୁଶୀଳନ କରିବା ଏକ କଷ୍ଟକର ବ୍ୟାପାର। କାରଣ ବିଡ୍‌ ଦାଖଲ କରୁଥିବା ପକ୍ଷ ନିଜର ସ୍ବତନ୍ତ୍ର ରଣନୀତି, ନିଜ ପାଖରେ ଥିବା ସୂଚନା ଏବଂ ନିଜ ଆବଶ୍ୟକତା ଅନୁସାରେ ବିଡ୍ ଦାଖଲ କରନ୍ତି। ରବର୍ଟ ୱିଲ୍‌ସନ୍ ନିଲାମର ଏକ ତତ୍ତ୍ବ ବିକଶିତ କରିଛନ୍ତି। କାହିଁକି ବିଡ୍‌ ଦାଖଲ କରୁଥିବା ସଂସ୍ଥା ନିଜ ଆକଳନ ଠାରୁ କମ୍ ମୂଲ୍ୟର ବିଡ୍‌ ଦାଖଲ କରନ୍ତି ତାହା ୱିଲ୍‌ସନ୍ ଜଣାଇଛନ୍ତି। ୧୯୯୪ରେ ଆମେରିକା ତରଫରୁ ଟେଲିକମ୍ ଅପରେଟରମାନଙ୍କ ପାଇଁ ରେଡିଓ ତରଙ୍ଗ ନିଲାମ ବେଳେ ସେହି ତତ୍ତ୍ବକୁ ବ୍ୟବହାର କରାଯାଇଥିଲା। ତାହା ବହୁତ ଭଲ ଫଳ ପ୍ରଦାନ କରିଥିଲା। ଏହା ପରେ ଅନ୍ୟ ଦେଶଗୁଡ଼ିକ ମଧ୍ୟ ସେହି ତତ୍ତ୍ବକୁ ବ୍ୟବହାର କରିଥିଲେ। ସେମାନଙ୍କ ଗବେଷଣା ଦ୍ବାରା ସମାଜ ବିଶେଷ ଭାବେ ଲାଭବାନ ହୋଇଛି ବୋଲି ନୋବେଲ୍ ପୁରସ୍କାର କମିଟି ପକ୍ଷରୁ କୁହାଯାଇଛି।

The post ‘ନିଲାମ ତତ୍ତ୍ବ’କୁ କାହିଁକି ଦିଆଗଲା ନୋବେଲ୍‌ first appeared on Sambad.



from ବାଣିଜ୍ୟ – Sambad https://ift.tt/2SKWo6W

Post a Comment

0 Comments