ଅକ୍ଷୟ ଶକ୍ତି ପ୍ରଦର୍ଶନ ଖରାପ, ସୌର କ୍ଷମତା ବିନିଯୋଗରେ ଓଡ଼ିଶାର ସ୍ଥାନ ୧୭

ଭୁବନେଶ୍ବର: ରାଜ୍ୟ ଅକ୍ଷୟ ଶକ୍ତି ନୀତି ଅନୁଯାୟୀ ୨୦୨୨ ସୁଦ୍ଧା ୨୭୫୦ ମେଗାୱାଟ୍‌ କ୍ଷମତାର ଅକ୍ଷୟ ଶକ୍ତି ଉତ୍ପାଦନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। କିନ୍ତୁ ୨୦୧୮ ଶେଷ ସୁଦ୍ଧା ରାଜ୍ୟର ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷମତା ୧୯୫ ମେଗାୱାଟ୍ ରହିଛି, ଯାହାକି ଧାର୍ଯ୍ୟ ଲକ୍ଷ୍ୟର ୭.୦୯ ପ୍ରତିଶତ ବୋଲି ସିଏଜି ରିପୋର୍ଟରେ ଦର୍ଶାଯାଇଛି। ରାଜ୍ୟରେ ସୌର ଶକ୍ତି ଉତ୍ପାଦନର ବିପୁଳ ସାମର୍ଥ୍ୟ ରହିଛି। ୨୫,୭୮୦ ମେଗାୱାଟ୍‌ ସୌର ଶକ୍ତି ଉତ୍ପାଦନ କ୍ଷମତା ରାଜ୍ୟର ରହିଥିବା ଆକଳନ କରାଯାଇଛି। କିନ୍ତୁ ସୌର କ୍ଷମତାର ବିନିଯୋଗ କ୍ଷେତ୍ରରେ ଓଡ଼ିଶା ୨୯ଟି ରାଜ୍ୟ ମଧ୍ୟରେ ୧୭ତମ ସ୍ଥାନରେ ରହିଛି।

ସେହିଭଳି ସୋଲାର ପାର୍କ ଓ ଅଲଟ୍ରାମେଗା ସୋଲାର ପାୱାର ପ୍ରକଳ୍ପ (ୟୁଏମ୍‌ଏସ୍‌ପିପି) ସ୍ଥାପନ କ୍ଷେତ୍ରରେ ମଧ୍ୟରେ ଓଡ଼ିଶାର ପ୍ରଦର୍ଶନ ଖରାପ ରହିଛି। ୨୦୧୪ ମସିହାରେ କେନ୍ଦ୍ର ସରକାର ଏହି ଯୋଜନା ଆରମ୍ଭ କରିଥିଲେ। ଯୋଜନା ଅନୁଯାୟୀ, ସମ୍ଭାବ୍ୟ ବିକାଶକାରୀଙ୍କ ଦ୍ବାରା ୫୦୦ ମେଗାୱାଟ୍‌ ସୌରଶକ୍ତି ଉତ୍ପାଦନକ୍ଷମ ପ୍ରକଳ୍ପ ଗୁଡ଼ିକୁ ବିକଶିତ କରିବା ପାଇଁ ଆବଶ୍ୟକ ଭିତ୍ତିଭୂମି ଅଞ୍ଚଳ ସୃଷ୍ଟି କରାଯିବା ଆବଶ୍ୟକ। ଭାରତ ସରକାର ମେଗାୱାଟ୍ ପ୍ରତି ୨୦ ଲକ୍ଷ ଟଙ୍କା କିମ୍ବା ପ୍ରକଳ୍ପ ମୂଲ୍ୟର ୩୦ ପ୍ରତିଶତ ମଧ୍ୟରୁ ଯେଉଁଟି କମ୍‌ ସହାୟତା ପ୍ରଦାନ କରିବେ। ଭାରତ ସରକାର ସୋଲର ପାର୍କଗୁଡ଼ିକୁ ଅନୁମୋଦ ଲାଭ କରିବାର ୧୮ ମାସ ମଧ୍ୟରେ ସ୍ଥାପନ କରିବା ପାଇଁ ଅକ୍ଟୋବର ୨୦୧୫ରେ ସ୍ବୀକୃତି ପ୍ରଦାନ କରିଥିଲେ। ସବୁଜ ଶକ୍ତି ଉନ୍ନୟନ ନିଗମ ଲିମିଟେଡ (ଜିଇଡିସିଓଏଲ୍‌) ୨୦୧୮ ଏପ୍ରିଲରେ ୨୭୫ ମେଗାୱାଟ୍ ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ଦାଖଲ କରିଥିଲେ। କିନ୍ତୁ ପ୍ରକଳ୍ପକୁ ଅନୁମୋଦନ କରାଯିବାର ୩୪ ମାସ ପରେ ମଧ୍ୟ (୨୦୧୮ ସେପ୍ଟେମ୍ବର ସୁଦ୍ଧା) ପ୍ରକଳ୍ପ ସ୍ଥାପନ ନିମନ୍ତେ ଜମି ଅଧିଗ୍ରହଣ କରି ନଥିଲେ।

ସେହିଭଳି କେନ୍ଦ୍ର ସରକାର ଗ୍ରିଡ୍‌ ସଂଯୁକ୍ତ ଅକ୍ଷୟ ଶକ୍ତି ପାଇଁ ପ୍ରୋତ୍ସାହନ ବାବଦକୁ ୩୮.୧୦ କୋଟି ଟଙ୍କା ପ୍ରଦାନ କରିଥିଲେ। ଓପିଟିସିଏଲ୍ ଓ ଓଏଚ୍‌ପିସିର ୭ଟି ଗ୍ରିଡ୍ ସବ୍‌ଷ୍ଟେସନ୍ ଓ ଶକ୍ତି ଉତ୍ପାଦନ ସ୍ଥାନରେ ୧୬.୪ ମେଗାୱାଟ କ୍ଷମତା ବିଶିଷ୍ଟ ସୋଲାର ପ୍ଲାଣ୍ଟ ସ୍ଥାପନ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଲେ। ପ୍ରକଳ୍ପ କାର୍ଯ୍ୟ ଜିଇଡିସିଓଏଲ୍‌ ଉପରେ ନ୍ୟସ୍ତ କରାଯାଇଥିଲା। କିନ୍ତୁ ଏହି ସଂସ୍ଥା ଆବଶ୍ୟକ ପଦକ୍ଷେପ ନନେବାରୁ ୩୮.୧୦ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ୩ ବର୍ଷ ଧରି ପଡ଼ି ରହିଲା ବୋଲି ସିଏଜି କହିଛନ୍ତି। ସୌର ଲଣ୍ଠନ ଯୋଗାଇବା ପାଇଁ ପାୱାରଟ୍ରୋନିକ୍ସ ନାମକ ସଂସ୍ଥାକୁ ଓରେଡା ଅହେତୁକ ଅନୁକମ୍ପା ଦେଖାଇଥିଲା। ଯୋଗାଣ କରି ପାରିବ ନାହିଁ ବୋଲି ବାରମ୍ବାର ଅକ୍ଷମତା ପ୍ରକାଶ କରିବା ସତ୍ତ୍ବେ ଓରେଡା ନିୟମିତ ବ୍ୟବଧାନରେ ସେହି ସଂସ୍ଥାକୁ କାର୍ଯ୍ୟବରାଦ ଦେଉଥିଲା। ଏହିଭଳି ବିଭିନ୍ନ ପ୍ରକାର ତ୍ରୁଟି ପାଇଁ ୨୦୧୮ ଜୁଲାଇରେ ୬୫୧୩ଟି ସୌର ଲଣ୍ଠନ କିଣିବାରେ ଓରେଡା ୪୯.୫୬ ଲକ୍ଷ ଟଙ୍କା ଅଧିକ ଖର୍ଚ୍ଚ କରିଥିଲା ବୋଲି ସିଏଜି ରିପୋର୍ଟରେ ଦର୍ଶାଯାଇଛି।



from ବାଣିଜ୍ୟ – Sambad https://ift.tt/3npnA9u

Post a Comment

0 Comments