୨୬ଟି ଗ୍ରାମ୍ୟ ବ୍ୟାଙ୍କ ଲାଭ, ୧୯ଟି କ୍ଷତିରେ ଚାଲୁଛି

ନୂଆଦିଲ୍ଲୀ: ସରକାରୀ ବ୍ୟାଙ୍କଗୁଡ଼ିକର ଆର୍ଥିକ ସ୍ଥିତି ଭଲ ନଥିବା ବେଳେ କିଛି ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ ମଧ୍ୟ କ୍ଷତିରେ ଚାଲୁଛି। ଜାତୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ) ରିପୋର୍ଟ ଅନୁଯାୟୀ ୨୦୧୯-୨୦ରେ ଦେଶରେ ଥିବା ଗ୍ରାମ୍ୟ ବ୍ୟାଙ୍କଗୁଡ଼ିକ ମିଳିତ ଭାବେ ୨,୨୦୦ କୋଟି ଟଙ୍କାର କ୍ଷତି ସହିଛନ୍ତି। ୨୦୧୮-୧୯ରେ ସେମାନେ ସହିଥିବା ୬୫୨ କୋଟି ଟଙ୍କାର କ୍ଷତି ତୁଳନାରେ ଏହା ଯଥେଷ୍ଟ ଅଧିକ। ଦେଶରେ ୪୫ଟି ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ ରହିଛି। ସେଥି ମଧ୍ୟରୁ ୨୬ଟି ବ୍ୟାଙ୍କ ୨,୨୦୩ କୋଟି ଟଙ୍କାର ଲାଭ କରିଥିବା ବେଳେ ୧୯ଟି ବ୍ୟାଙ୍କ ୪୪୦୯ କୋଟି ଟଙ୍କାର କ୍ଷତି ସହିଛନ୍ତି। ଦେଶର ୨୬ଟି ରାଜ୍ୟ ଓ ତିନିଟି କେନ୍ଦ୍ର ଶାସିତ ଅଞ୍ଚଳର ୬୮୫ଟି ଜିଲ୍ଲାରେ ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କଗୁଡ଼ିକୁ ସେବା ଯୋଗାଇ ଦେଉଛନ୍ତି। ୧୫ଟି ରାଷ୍ଟ୍ରାୟତ୍ତ ସରକାରୀ ବ୍ୟାଙ୍କ ଏହି ସବୁ ଗ୍ରାମ୍ୟ ବ୍ୟାଙ୍କର ପ୍ରାୟୋଜକ ହୋଇଥିବା ବେଳେ ସେମାନଙ୍କ ପାଖରେ ୨୧,୮୫୦ଟି ଶାଖା ରହିଛି।

ଗ୍ରାମ୍ୟ ବ୍ୟାଙ୍କଗୁଡ଼ିକର ମୋଟ ଏନ୍‌ପିଏ ୧୦.୪ ପ୍ରତିଶତ ରହିଛି ଯାହା ୨୦୧୮-୧୯ ତୁଳନାରେ ସାମାନ୍ୟ କମ୍। ୧୮ଟି ବ୍ୟାଙ୍କର ମୋଟ୍‌ ଏନପିଏ ୧୦ ପ୍ରତିଶତରୁ ଅଧିକ ରହିଛି। ଚଳିତ ବର୍ଷ ମାର୍ଚ୍ଚ ୩୧ ସୁଦ୍ଧା‌ ଗ୍ରାମ୍ୟ ବ୍ୟାଙ୍କଗୁଡ଼ିକର ମୋଟ କାରବାର ପରିମାଣ ୭.୭୭ ଲକ୍ଷ ଟଙ୍କା ଥିଲା। ସେମାନଙ୍କ ଜମାରେ ୧୦.୨ ପ୍ରତିଶତ ଓ ଅଗ୍ରୀମରେ ୯.୫ ପ୍ରତିଶତର ବୃଦ୍ଧି ହୋଇଥିଲା। ମୋଟ ବ୍ୟବସାୟ ଅଭିବୃଦ୍ଧି କିନ୍ତୁ ଗତବର୍ଷ ତୁଳନାରେ ହ୍ରାସ ପାଇ ୮.୬ ପ୍ରତିଶତରେ ପହଞ୍ଚିଛି। ଟଙ୍କା ମୂଲ୍ୟ ଆଧାରରେ ବକେୟା ଋଣ ପରିମାଣ ୨.୯୮ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି ଯାହା ୨୦୧୮-୧୯ର ୨.୮୦ ଲକ୍ଷ କୋଟି ଟଙ୍କାର ବକେୟା ଋଣ ତୁଳନାରେ ଅଧିକ। ଅଧିକ ବକେୟା ଋଣ ଅଗ୍ରାଧିକାର କ୍ଷେତ୍ରରେ ଫସି ରହିଛି।



from ବାଣିଜ୍ୟ – Sambad https://ift.tt/3d0TzYs

Post a Comment

0 Comments