ରାଜ୍ୟର ସାମୁଦ୍ରିକ ଉତ୍ପାଦ ରପ୍ତାନି ୩୨୦୦ କୋଟି ଟପିଲା, ସାମୁଦ୍ରିକ ଉତ୍ପାଦ ପାଇଁ ଖୋଲିଲା କ୍ବାଲିଟି କଣ୍ଟ୍ରୋଲ୍ ଲ୍ୟାବ୍‌

ଭୁବନେଶ୍ବର: ସାମୁଦ୍ରିକ ଉତ୍ପାଦ ରପ୍ତାନି କର୍ତ୍ତୃପକ୍ଷ (ଏମ୍‌ପିଇଡିଏ) ପକ୍ଷରୁ ନୟାପଲ୍ଲୀସ୍ଥିତ ରପ୍ତାନି ଭବନରେ ନବୀକୃତ କ୍ବାଲିଟି କଣ୍ଟ୍ରୋଲ୍‌ ଲ୍ୟାବ୍ ଖୋଲାଯାଇଛି। ଏଠାରେ ଉଚ୍ଚ ମାନର ଯନ୍ତ୍ରାଂଶ ବ୍ୟବହାର କରାଯାଇଛି ଯାହା ଜରିଆ‌ର ନିଷିଦ୍ଧ ହୋଇଥିବା ଆଣ୍ଟିବାୟୋଟିକ୍‌ ଚିହ୍ନଟ ହୋଇପାରିବ। ଏମ୍‌ପିଇଡିଏର ଅଧ୍ୟକ୍ଷ କେ କେ ଶ୍ରୀନିବାସ ଏହାକୁ ଉଦ୍‌ଘାଟନ କରିଛନ୍ତି। ସେ କହିଛନ୍ତି, ଓଡ଼ିଶା ୨୦୧୧-୧୨ରେ ୮୦୦ କୋଟି ଟଙ୍କାର ମୂଲ୍ୟ ୨୧,୩୧୧ ଟନ୍ ସାମୁଦ୍ରିକ ଉତ୍ପାଦ ରପ୍ତାନି କରିଥିଲା। ୨୦୧୯-୨୦ ସୁଦ୍ଧା ତାହା ୩୨୪୩ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଏହିବର୍ଷ ଓଡ଼ିଶା ୬୬,୬୫୪ ଟନ୍ ସାମୁଦ୍ରିକ ଉତ୍ପାଦ ରପ୍ତାନି କରିଛି। ଦେଶର ଚିଙ୍ଗୁଡ଼ି ଉତ୍ପାଦନ ପ୍ରତି ଓଡ଼ିଶାର ଅବଦାନ ୬.୨ ପ୍ରତିଶତ ରହିଛି। ୨୦୧୨-୧୩ରେ ରାଜ୍ୟର ଚିଙ୍ଗୁଡ଼ି ଉତ୍ପାଦନ ପରିମାଣ ୧୦୦ ଟନ୍ ଥିଲା। ୨୦୧୯-୨୦ ସୁଦ୍ଧା ତାହା ୪୪,୦୦୭ ଟନ୍‌କୁ ବୃଦ୍ଧି ପାଇଛି ବୋଲି ଶ୍ରୀ ଶ୍ରୀନିବାସ କହିଛନ୍ତି।

ଓଡ଼ିଶା ଉତ୍ପାଦିତ ୩୭ ପ୍ରତିଶତ ସାମୁଦ୍ରିକ ଉତ୍ପାଦ ଚୀନ୍‌କୁ ପଠାଯାଉଥିବା ବେଳେ ୩୬ ପ୍ରତିଶତ ଉତ୍ପାଦ ଆମେରିକାକୁ ରପ୍ତାନି କରାଯାଉଛି। ଜାପାନ ଓ ଦକ୍ଷିଣ ପୂର୍ବ ଏସୀୟ ରାଷ୍ଟ୍ରଗୁଡ଼ିକୁ ମଧ୍ୟ ଓଡ଼ିଶାର ସାମୁଦ୍ରିଜ ଉତ୍ପାଦ ରପ୍ତାନି କରାଯାଉଛି। ସାମୁଦ୍ରିକ ଉତ୍ପାଦ ଆମଦାନି କରୁଥିବା ଦେଶ ଓ ଏକ୍ସପୋର୍ଟ ଇନସ୍‌ପେକ୍ସନ କାଉନ୍‌ସିଲ୍‌ (ଇଆଇସି) ପକ୍ଷରୁ ଧାର୍ଯ୍ୟ କରାଯାଇଥିବା ମାନଦଣ୍ଡ ଆଧାରରେ ଏହି ଲ୍ୟାବ୍ ପ୍ରସ୍ତୁତ କରାଯାଇଛି। ଏହା ପ୍ରି-ହାର୍ଭେଷ୍ଟ୍‌ ଟେଷ୍ଟ ସାର୍ଟିଫିକେଟ୍‌ ମଧ୍ୟ ମତ୍ସ୍ୟଚାଷୀଙ୍କୁ ପ୍ରଦାନ କରିବ। ଭିଡିଓ କନଫରେନ୍ସିଂ ଜରିଆରେ ହୋଇଥିବା ଉଦଘାଟନୀ ସମାରୋହରେ ମତ୍ସ୍ୟ ବିଭାଗର ସଚିବ ଆର୍‌ ରଘୁ ପ୍ରସାଦ, ଏମ୍‌ଇପିଡିଏର ନିର୍ଦେଶକ ଡକ୍ଟର ଏମ୍ କାର୍ତ୍ତିକେୟନ, ଟି ଦୋଳଶଙ୍କର, ସଦସ୍ୟ ଆଦିତ୍ୟ ଦାଶ, ଭାରତୀୟ ସିଫୁଡ୍‌ ରପ୍ତାନିକାରୀ ସଂଘ ପରିଚାଳନା କମିଟିର ସଦସ୍ୟ ତାରା ରଞ୍ଜନ ପଟ୍ଟନାୟକ ଓ ଓଡ଼ିଶା ଅଂଚଳର ସଭାପତି ଡକ୍ଟର କମଳେଶ ମିଶ୍ର ଓ ଏମ୍‌ପିଇଡିଏର ଉପଦେଷ୍ଟା ବି ଶ୍ରୀକୁମାର ଉପସ୍ଥିତ ଥିଲେ।



from ବାଣିଜ୍ୟ – Sambad https://ift.tt/3kVMYSH

Post a Comment

0 Comments