ରିଅଲ ଇଷ୍ଟେଟ୍‌ରେ ନିବେଶ ବଢ଼ିବ: କ୍ରେଡାଇ

ଭୁବନେଶ୍ବର: ରାଜ୍ୟ ସରକାର ଜାରି କରିଥିବା ଓଡ଼ିଶା ବିକାଶ ନିୟମକୁ ରିଅଲ ଇଷ୍ଟେଟ୍ ଶିଳ୍ପ ସଂଘ କ୍ରେଡାଇ ଓଡ଼ିଶା ଓ କ୍ରେଡାଇ ଭୁବନେଶ୍ବର ସ୍ବାଗତ କରିଛନ୍ତି। ଏହି ନିୟମ ପ୍ରଭାବରେ ରାଜ୍ୟର ରିଅଲ ଇଷ୍ଟେଟ୍‌ ଶିଳ୍ପରେ ପୁଞ୍ଜିନିବେଶ ପରିମାଣ ବୃଦ୍ଧି ପାଇବ ବୋଲି କ୍ରେଡାଇ ଓଡ଼ିଶାର ସଭାପତି ସ୍ବଦେଶ କୁମାର ରାଉତରାୟ କହିଛନ୍ତି। ତାଙ୍କ ମତରେ ଏହି ନିୟମ ମାଧ୍ୟମରେ ଆବାସିକ ପ୍ରକଳ୍ପକୁ ବାଣିଜ୍ୟିକ ବ୍ୟବହାର ଲାଗି ଅନୁମତି ଦିଆଯାଇଛି। ସଡ଼କ ଓ ପାର୍କିଂ ନିୟମକୁ କୋହଳ କରାଯାଇଛି। ଏହି ନିୟମ ରିଅଲ ଇଷ୍ଟେଟ୍ ଶିଳ୍ପରେ ବୈପ୍ଳବିକ ପରିବର୍ତ୍ତନ ଆଣିବ ବୋଲି ସେ କହିଛନ୍ତି। କ୍ରେଡାଇ ଓଡ଼ିଶା ପକ୍ଷରୁ ଆୟୋଜନ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ଅଧ୍ୟକ୍ଷ ଡି ଏସ୍‌ ତ୍ରିପାଠୀ, ସମ୍ପାଦକ ଅନିଲ କୁମାର ଅଗ୍ରୱାଲ୍, ସଂଗ୍ରାମ କେ ସାହୁ, ଭବାନୀ ଶଙ୍କର ଗିରି, ସୂର୍ଯ୍ୟକାନ୍ତ ବେହେରା ଓ ଇଷ୍ଟ ଜୋନ୍‌ର ମହିଳା ଶାଖା ସଂଯୋଜିକା ସୋଫିଆ ଫିରଦୋସ୍ ଉପସ୍ଥିତ ଥିଲେ।

ସେହିପରି, କ୍ରେଡାଇ ଭୁବନେଶ୍ବରର ସାଧାରଣ ସମ୍ପାଦକ ଉମେଶ ପଟ୍ଟନାୟକ କହିଛନ୍ତି, ନୂତନ ନିୟମ ଯୋଗୁଁ ଅଧିକ ପୁଞ୍ଜିନିବେଶ ରାଜ୍ୟକୁ ଆସିବ ଯାହା ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବାରେ ସହାୟକ ହେବ। ଓଡ଼ିଶା ରିଅଲ ଇଷ୍ଟେଟ୍ ନିୟାମକ କର୍ତୃପକ୍ଷ (ଓରୋରା)ର ନୂଆ ଅଧ୍ୟକ୍ଷ ସିଦ୍ଧାନ୍ତ ଦାସଙ୍କୁ ସେ ସ୍ବାଗତ ଓ ଅଭିନନ୍ଦନ ଜଣାଇଛନ୍ତି। ଲକ୍‌ଡାଉନ୍ ସମୟରେ ରାଜ୍ୟକୁ ଫେରିଥିବା ୩୦ ହଜାରରୁ ଅଧିକ ପ୍ରବାସୀ ଶ୍ରମିକଙ୍କ କର୍ମନିଯୁକ୍ତି ଯୋଗାଇ ଦେବା ଲାଗି ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା ବୋଲି ସେ କହିଛନ୍ତି। ଏହି ଅବସରରେ କ୍ରେଡାଇ ଭୁବନେଶ୍ବରର ଯୁଗ୍ମ ସମ୍ପାଦକ ସନ୍ଦୀପ ମହାନ୍ତି ଓ କୋଷାଧ୍ୟକ୍ଷ ଅନିଲ ମହାନ୍ତି ଉପସ୍ଥିତ ଥିଲେ।



from ବାଣିଜ୍ୟ – Sambad https://ift.tt/3g5o8fC

Post a Comment

0 Comments