
ଭୁବନେଶ୍ବର: ଚଳିତ ବର୍ଷ ସେପ୍ଟେମ୍ବରରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ୧୧୭ କୋଟି ଟଙ୍କାର ମୋଟର ଯାନ ରାଜସ୍ବ ସଂଗ୍ରହ କରିଛନ୍ତି। ଚଳିତ ବର୍ଷ ଅଗଷ୍ଟରେ ୮୯.୫ କୋଟି ଟଙ୍କାର ଆୟ ହୋଇଥିଲା। ଅଗଷ୍ଟ ତୁଳନାରେ ସେପ୍ଟେମ୍ବରରେ ୩୧ ପ୍ରତିଶତ ଅଧିକ ରାଜସ୍ବ ସଂଗ୍ରହ ହୋଇଛି। କିନ୍ତୁ ଗତବର୍ଷ ସେପ୍ଟେମ୍ବରରେ ହୋଇଥିବା ୧୨୬ କୋଟି ଟଙ୍କା ଆୟ ତୁଳନାରେ ଚଳିତ ବର୍ଷର ଆୟ ୭ ପ୍ରତିଶତ କମ୍ ରହିଛି। ଚଳିତ ବର୍ଷର ଏପ୍ରିଲ୍-ସେପ୍ଟେମ୍ବର ଭିତରେ ୫୦୧ କୋଟି ଟଙ୍କାର ମୋଟର ଯାନ ରାଜସ୍ବ ଆୟ ହୋଇଛି ଯାହା ଗତବର୍ଷ ସେହି ସମୟରେ ହୋଇଥିବା ୭୮୭ କୋଟି ଟଙ୍କାରୁ ୩୬ ପ୍ରତିଶତ କମ୍ ରହିଛି।
ଚଳିତ ବର୍ଷ ସେପ୍ଟେମ୍ବରରେ ଖଣି ଥିବା ଜିଲ୍ଲାଗୁଡ଼ିକରେ ଅଧିକ ରାଜସ୍ବ ଆଦାୟ ହୋଇଛି। ଖଣି କାର୍ଯ୍ୟକଳାପ ବୃଦ୍ଧି ପାଇଥିବାରୁ ଝାରସୁଗୁଡ଼ାରୁ ୩.୩୮ କୋଟି ଟଙ୍କା ଆୟ ହୋଇଥିବା ବେଳେ କେନ୍ଦୁଝରରୁ ୬.୯୮ କୋଟି ଟଙ୍କା, ରାଉରକେଲାରୁ ୮.୮ କୋଟି ଟଙ୍କା, ସୁନ୍ଦରଗଡ଼ରୁ ୪.୬୭ କୋଟି ଟଙ୍କା, ତାଳଚେରରୁ ୨.୭୪ କୋଟି ଟଙ୍କା ଆୟ ହୋଇଛି। ଗତବର୍ଷ ସେପ୍ଟେମ୍ବର ତୁଳନାରେ ଏହି ସବୁ ଅଞ୍ଚଳରେ ଚଳିତ ବର୍ଷ ସେପ୍ଟେମ୍ବରରେ ଅଧିକ ରାଜସ୍ବ ସଂଗ୍ରହ କରାଯାଇଛି। ୨୦୧୯ ସେପ୍ଟେମ୍ବରରୁ ଝାରସୁଗୁଡ଼ାରୁ ୨.୩୯ କୋଟି ଟଙ୍କା, କେନ୍ଦୁଝରରୁ ୫.୨୭ କୋଟି ଟଙ୍କା, ରାଉରକେଲାରୁ ୬.୯୯ କୋଟି ଟଙ୍କା, ସୁନ୍ଦରଗଡ଼ରୁ ୨.୨୨ କୋଟି ଟଙ୍କା ଓ ତାଳଚେରରୁ ୨.୧୩ କୋଟି ଟଙ୍କା ଆୟ ହୋଇଥିଲା।
କରୋନା ମହାମାରୀର ମୁକାବିଲା ଲାଗି ଦେଶରେ ଗତ ମାର୍ଚ୍ଚ ୨୫ ଠାରୁ ଲକ୍ଡାଉନ୍ ଘୋଷଣା ହେବା ପରେ ରାଜସ୍ବ ଆୟ ଗୁରୁତର ଭାବେ ପ୍ରଭାବିତ ହୋଇଥିଲା। ଦୁଇଟି ପର୍ଯ୍ୟାୟରେ ମେ’ ୩ ପର୍ଯ୍ୟନ୍ତ ଲକ୍ଡାଉନ୍ ବଳବତ୍ତର ରହିବା ପରେ ଧୀରେ ଧୀରେ ଅନ୍ଲକ୍ ଆଡ଼କୁ ଦେଶ ଗତି କରିଥିଲା। ଜୁନ୍ ପରଠାରୁ ରାଜ୍ୟର ମୋଟର ଯାନ ରାଜସ୍ବ ଆୟରେ ଧୀରେ ଧୀରେ ବୃଦ୍ଧି ହେଉଛି। ଗତବର୍ଷର ଜୁନ୍ ତୁଳନାରେ ଚଳିତ ବର୍ଷ ଜୁନ୍ରେ ୧୫% କମ୍, ଜୁଲାଇ ୧୮% ଓ ଅଗଷ୍ଟରେ ୨୦% କମ୍ ରାଜସ୍ବ ସଂଗ୍ରହ ହୋଇଥିଲା। ମାତ୍ର ସେପ୍ଟେମ୍ବରରେ ସେଥିରେ ଯଥେଷ୍ଟ ଉନ୍ନତି ପରିଲକ୍ଷିତ ହୋଇଛି। ଅଧିକ ପରିମାଣର ଗାଡ଼ି ବିକ୍ରି ହେବା ଓ ଅର୍ଥନୈତିକ କାର୍ଯ୍ୟକଳାପ ବଢ଼ିବାରୁ ମୋଟର ଯାନ ରାଜସ୍ବ ଆୟ ବୃଦ୍ଧି ପାଇଛି ବୋଲି ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଜଣାଇଛନ୍ତି।
The post ମୋଟର ଯାନ ରାଜସ୍ବ ଆୟ ୧୧୭ କୋଟି, ଅଗଷ୍ଟ ତୁଳନାରେ ୩୧% ଅଧିକ first appeared on Sambad.
from ବାଣିଜ୍ୟ – Sambad https://ift.tt/3dubIhI
0 Comments