
ନୂଆଦିଲ୍ଲୀ: ଜିଏସ୍ଟି କ୍ଷତିପୂରଣ ରାଶିକୁ ନେଇ ଆଜି ଜିଏସ୍ଟି ପରିଷଦ ବୈଠକରେ ଦୀର୍ଘ ସମୟ ଆଲୋଚନା ହୋଇଥିଲା। ଏହି ବୈଠକ ଆଠ ଘଣ୍ଟା ଧରି ଚାଲିଥିଲେ ମଧ୍ୟ କ୍ଷତିପୂରଣ ରାଶିକୁ ନେଇ ରହିଥିବା ସମସ୍ୟା ସମାଧାନ ହୋଇପାରିନାହିଁ। ଏହି ସମସ୍ୟା ସମାଧାନ କରିବା ଲାଗି ଚଳିତ ମାସ ୧୨ରେ ପୁଣି ଥରେ ପରିଷଦର ବୈଠକ ବସିବ। ତେବେ ରାଜସ୍ବ ଆଦାୟରେ ରହିଥିବା ଅଭାବକୁ ଦୂର କରିବା ଲାଗି ୨୦୨୨ ପରେ ମଧ୍ୟ ସେସ୍ ଆଦାୟ ଜାରି ରହିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏସଂକ୍ରାନ୍ତ ରୂପରେଖ ଆଗାମୀ ଦିନରେ ପ୍ରସ୍ତୁତ କରାଯିବ। ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ରାଜ୍ୟଗୁଡ଼ିକୁ କ୍ଷତିପୂରଣ ବାବଦରେ ଆଜି ରାତିରେ ୨୦ ହଜାର କୋଟି ଟଙ୍କା ଜାରି କରାଯିବ। ୨୦୧୮-୧୯ ଆର୍ଥିକ ବର୍ଷର ସମନ୍ବିତ ଜିଏସ୍ଟି (ଆଇଜିଏସ୍ଟି) ବାବଦରେ ଆଉ ୨୫ ହଜାର କୋଟି ଟଙ୍କା ସପ୍ତାହକ ଭିତରେ ରାଜ୍ୟଗୁଡ଼ିକୁ ଦିଆଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।
ସପ୍ତାହକ ଭିତରେ ଆଉ ୨୫ ହଜାର କୋଟି ମିଳିବ
ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନେତୃତ୍ବରେ ଜିଏସ୍ଟି ପରିଷଦର ୪୨ତମ ବୈଠକ ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ହୋଇଥିଲା। ରାଜ୍ୟଗୁଡ଼ିକୁ କ୍ଷତିପୂରଣ ରାଶି ଦିଆଯିବ ନାହିଁ ବୋଲି ଯେଉଁ ଚର୍ଚ୍ଚା ହେଉଛି ତାହା ଭୁଲ। ସରକାର ଟଙ୍କା ଉପରେ ବସିରହି ରାଜ୍ୟଗୁଡ଼ିକୁ କ୍ଷତିପୂରଣ ଦେବାକୁ ମନା କରୁନାହାନ୍ତି। ରାଜ୍ୟଗୁଡ଼ିକୁ ଯେଉଁ ଦୁଇଟି ବିକଳ୍ପ ଦିଆଯାଇଥିଲା ସେଥିରେ କିଛିଟା ପରିବର୍ତ୍ତନ କରାଯାଇଛି। ବିକଳ୍ପ-୧ରେ ୯୭ ହଜାର କୋଟି ଟଙ୍କା ରାଶିକୁ ବଢ଼ାଇ ୧.୧୦ ଲକ୍ଷ କୋଟି ଟଙ୍କା କରାଯାଇଛି। ତେବେ ଅଣ ବିଜେପି ଶାସିତ ରାଜ୍ୟଗୁଡ଼ିକ ତୃତୀୟ ବିକଳ୍ପ ଘୋଷଣା କରିବାକୁ ଦାବି କରିଛନ୍ତି। ବିଭିନ୍ନ ପ୍ରସଙ୍ଗରେ ମତଭେଦ ଦେଖାଦେଉଥିବାରୁ ପରିଷଦ ଭିତରେ ଏକ ‘ବିବାଦ ସମାଧାନର ବ୍ୟବସ୍ଥା’ କରିବା ଏବଂ ଜଣେ ଉପାଧ୍ୟକ୍ଷ ନିଯୁକ୍ତ କରିବାକୁ ସେମାନେ ଦାବି କରିଛନ୍ତି। ସରକାରଙ୍କ ହିସାବ ଅନୁସାରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ରାଜ୍ୟଗୁଡ଼ିକୁ ୩ ଲକ୍ଷ କୋଟି ଟଙ୍କାର କ୍ଷତିପୂରଣ ରାଶି ଦେବାକୁ ପଡ଼ିବ। ମାତ୍ର ସେସ୍ ମାଧ୍ୟମରେ ଅତିବେଶିରେ ୬୫ ହଜାର କୋଟି ଟଙ୍କା ଆଦାୟ ହୋଇପାରିବ। ସିଧାସଳଖ ୨.୩୫ ଲକ୍ଷ କୋଟି ଟଙ୍କାର ଅଭାବ ଦେଖାଦେବ। ସେଥି ମଧ୍ୟରୁ କୋଭିଡ୍-୧୯ ପ୍ରଭାବ ପାଇଁ ଦେଖାଦେବାକୁ ଥିବା ଅଭାବର ମୂଲ୍ୟ ୯୭ ହଜାର କୋଟି ଆକଳନ କରାଯାଇଥିଲା। ୯୭ ହଜାର କୋଟି ଟଙ୍କାର ଋଣ ପ୍ରଥମ ବିକଳ୍ପ ଥିବା ବେଳେ ସମ୍ପୂର୍ଣ୍ଣ ୨.୩୫ ଲକ୍ଷ କୋଟି ଟଙ୍କାର ଋଣ ଥିଲା ଦ୍ବିତୀୟ ବିକଳ୍ପ। ଏହା ଥିଲା କେନ୍ଦ୍ର ଦେଇଥିବା ଦ୍ବିତୀୟ ବିକଳ୍ପ। ପ୍ରଥମ ବିକଳ୍ପକୁ ୨୧ଟି ରାଜ୍ୟ ଗ୍ରହଣ କରିଥିବା ବେଳେ ଦ୍ବିତୀୟ ବିକଳ୍ପକୁ ଗୋଟିଏ ମାତ୍ର ରାଜ୍ୟ ଗ୍ରହଣ କରିଛି।
ଆଜିର ବୈଠକରେ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ରିଟର୍ଣ୍ଣ ଦାଖଲକୁ ଅଧିକ ସରଳ କରିବା ଏବଂ ନିୟମ ପାଳନର ଚାପ ହାଲୁକା କରିବା ଲାଗି ଜିଏସ୍ଟି ରିଟର୍ଣ୍ଣ ଫାଇଲିଂର ଭବିଷ୍ୟତ ରୂପରେଖ ପ୍ରସ୍ତୁତ କରାଯିବ। ଆସନ୍ତା ବର୍ଷ ଜାନୁଆରି ୧ରୁ ପ୍ରତି ମାସର ୧୩ରେ ତ୍ରୟମାସିକ ଜିଏସ୍ଟିଆର୍-୧ ଦାଖଲ କରାଯିବ। ସେହିଦିନ ଠାରୁ ଜିଏସ୍ଟିଆର୍-୧ରୁ ଜିଏସ୍ଟିଆର୍-୩ବି ସ୍ବୟଂଚାଳିତ ଭାବେ ସୃଷ୍ଟି ହେବ। ମାସିକ ରିଟର୍ଣ୍ଣ ଦାଖଲ କରୁଥିବା ଟିକସଦାତାଙ୍କ ଜିଏସ୍ଟିଆର୍-୨ବିରୁ ଇନ୍ପୁଟ୍ ଟାକ୍ସ କ୍ରେଡିଟ୍ ଜଣାପଡ଼ିବ। ଏହି ସୁବିଧା ୨୦୨୧ ଜାନୁଆରି ୧ରୁ ଲାଗୁ ହେବ। ତ୍ରୟମାସ ରିଟର୍ଣ୍ଣ ଦାଖଲ କରୁଥିବା ଟିକସଦାତାଙ୍କ ପାଇଁ ତାହା ୨୦୨୧ ଏପ୍ରିଲ୍ ୧ରୁ ଲାଗୁ ହେବ। ଜିଏସ୍ଟିଆର୍-୧/୩ବି ରିଟର୍ଣ୍ଣ ଫାଇଲିଂ ବ୍ୟବସ୍ଥାର ସମୟ ସୀମାକୁ ୨୦୨୧ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଜିଏସ୍ଟିଆର୍-୧/୩ବିକୁ ଡିଫଲ୍ଟ ରିଟର୍ଣ୍ଣ ଫାଇଲିଂ ବ୍ୟବସ୍ଥାରେ ପରିଣତ କରିବା ଲାଗି ଜିଏସ୍ଟି ନିୟମରେ ସଂଶୋଧନ କରାଯିବ ବୋଲି ଆଜିର ବୈଠକରେ ନିଷ୍ପତ୍ତି ହୋଇଛି।
ଟିକସଦାତାଙ୍କ ପାଇଁ ନିୟମ ପାଳନକୁ ଅଧିକ ସହଜ କରିବା ଲାଗି ୫ କୋଟି ଟଙ୍କାରୁ କମ୍ ବାର୍ଷିକ କାରବାର କରୁଥିବା ଟିକସଦାତାଙ୍କ ପାଇଁ ମାସିକ ପେମେଣ୍ଟ୍ ସହିତ ତ୍ରୟମାସ ଭିତ୍ତିରେ ରିଟର୍ଣ୍ଣ ଦାଖଲ କରିବାର ବ୍ୟବସ୍ଥା ଆସନ୍ତାବର୍ଷ ଜାନୁଆରି ୧ରୁ ଲାଗୁ ହେବ। ଏସ୍ଏମ୍ଏସ୍ ଜରିଆରେ ନିଲ୍ ଫର୍ମ ସିଏମ୍ପି-୦୮ ଦାଖଲ କରିବା ସୁବିଧା ପ୍ରଦାନ କରିବା ଲାଗି ଜିଏସ୍ଟି ନିୟମରେ ସଂଶୋଧନ ଅଣାଯିବ। ଆସନ୍ତାବର୍ଷ ଜାନୁଆରିରୁ ଆଧାର ଓ ପାନ୍ ଲିଙ୍କ୍ ହୋଇଥିବା ବ୍ୟାଙ୍କ ଖାତାରେ ରିଫଣ୍ଡ୍ ରାଶି ଜମା କରାଯିବ। ମହାକାଶ ବିଜ୍ଞାନ ଉପରେ ଅଧିକ ଗବେଷଣାକୁ ପ୍ରୋତ୍ସାହିତ କରିବା ଲାଗି ଉପଗ୍ରହ ଉତ୍କ୍ଷେପଣ ଉପରୁ ଜିଏସ୍ଟି ଛାଡ଼ କରାଯାଇଛି।
from ବାଣିଜ୍ୟ – Sambad https://ift.tt/34t2Jt1
0 Comments