
ନୂଆଦିଲ୍ଲୀ: ଋଣ ମୋରାଟୋରିଅମ୍ ମାମଲାରେ ଅତିରିକ୍ତ ସତ୍ୟପାଠ ଦାଖଲ କରିବା ଲାଗି କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ କହିଛନ୍ତି। କୋର୍ଟ କହିଛନ୍ତି ଯେ ଦୁଇ କୋଟି ଟଙ୍କାରୁ କମ୍ ମୂଲ୍ୟର ଋଣରୁ ସୁଧ ଉପର ସୁଧ ଛାଡ଼ କରିବାକୁ ତୁମେ ସତ୍ୟପାଠରେ ଜଣାଇଛ। ତାହା ଦ୍ବାରା କେବଳ ବ୍ୟକ୍ତିବିଶେଷ ଗ୍ରାହକ ଓ କ୍ଷୁଦ୍ର ଓ ମଧ୍ୟମ ଧରଣର ସଂସ୍ଥା (ଏସ୍ଏମ୍ଇ)ଗୁଡ଼ିକ ଉପକୃତ ହେବେ। ରିଅଲ ଇଷ୍ଟେଟ୍ ସଂଘ ଓ ବିଦ୍ୟୁତ ଶକ୍ତି ଉତ୍ପାଦନକାରୀମାନେ ଯେଉଁ ଦାବି କରିଥିଲେ ସେମାନଙ୍କ ବିଷୟରେ ସତ୍ୟପାଠରେ କିଛି ବି ଉଲ୍ଲେଖ ନାହିଁ। ସେମାନଙ୍କ କଥା ବିଚାରକୁ ନେଇ ସପ୍ତାହକ ଭିତରେ (ଚଳିତ ମାସ ୧୨ ସୁଦ୍ଧା) ଅତିରିକ୍ତ ସତ୍ୟପାଠ ଦାଖଲ କରିବାକୁ କୋର୍ଟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ଏହି ମାମଲାର ଶୁଣାଣି ବେଳେ ବିଚାରପତି ଅଶୋକ ଭୂଷଣ, ଆର୍ ସୁଭାଷ ରେଡ୍ଡି ଓ ଏମ୍ଆର୍ ଶାହଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଥିଲେ ଯେ କରୋନା ମହାମାରୀ ଦ୍ବାରା ପ୍ରଭାବିତ ହୋଇଥିବା କେଉଁ କ୍ଷେତ୍ରଗୁଡ଼ିକର ଋଣ ପୁନର୍ଗଠନ ହେବା ଦରକାର ତାହା ଜାଣିବା ଲାଗି ତୁମେ କେ ଭି କାମାଥ୍ଙ୍କ ନେତୃତ୍ବରେ କମିଟି ଗଠନ କରିଥିଲ। କମିଟି ସୁପାରିସ୍ ଦେଇସାରିଲାଣି, କିନ୍ତୁ ତାହା କୋର୍ଟରେ ଦାଖଲ କରାଯାଇନାହିଁ। କେଉଁ ସୁପାରିସ ଗ୍ରହଣୀୟ ହେଲା ତାହା ସର୍ବସାଧାରଣରେ ପ୍ରକାଶ କରାଯିବା ଉଚିତ। ଶୀଘ୍ର ସେହି ରିପୋର୍ଟ ଦାଖଲ କରିବାକୁ ସୁପ୍ରିମକୋର୍ଟ କହିଛନ୍ତି।
ରିଅଲ ଇଷ୍ଟେଟ୍, ଶକ୍ତି ଉତ୍ପାଦନକାରୀଙ୍କ କଥା ବୁଝ
ରିଜର୍ଭ ବ୍ୟାଙ୍କ, କେନ୍ଦ୍ରକୁ ୧୨ ପର୍ଯ୍ୟନ୍ତ ମହଲତ
କୋର୍ଟ କହିଛନ୍ତି ଯେ ସରକାର ଦେଇଥିବା ପ୍ରସ୍ତାବରେ ଅନେକ କ୍ଷେତ୍ରର ଦାବିକୁ ଅଣଦେଖା କରାଯାଇଛି। କାମାଥ କମିଟି ନିଜ ରିପୋର୍ଟରେ ଜଣାଇଛି ଯେ ଦେଶର ୨୬ଟି କ୍ଷେତ୍ର କରୋନା ମହାମାରୀ ଦ୍ବାରା ଗୁରୁତର ଭାବେ ପ୍ରଭାବିତ ହୋଇଛି। ଏହି ସବୁ କ୍ଷେତ୍ରକୁ ଦିଆଯାଇଥିବା ଋଣର ପୁନର୍ଗଠନ ଜରୁରୀ। ସେହି ରିପୋର୍ଟ କୋର୍ଟରେ ଦାଖଲ କର। ଋଣ ମୋରାଟୋରିଅମ୍କୁ ନେଇ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ସମ୍ପର୍କିତ କାଗଜପତ୍ର ଏବଂ ଜାରି କରାଯାଇଥିବା ବିଜ୍ଞପ୍ତିଗୁଡ଼ିକୁ ଦାଖଲ କରିବାକୁ ମଧ୍ୟ କୋର୍ଟ କହିଛନ୍ତି। ସରକାର ଦାଖଲ କରିଥିବା ସତ୍ୟପାଠ ଉପରେ ନିଜର ମତ ରଖିବାକୁ ଭାରତୀୟ ବ୍ୟାଙ୍କ ସଂଘ, ରିଅଲ ଇଷ୍ଟେଟ୍ ସଂଘ କ୍ରେଡାଇ ଓ ଅନ୍ୟ ପକ୍ଷଗୁଡ଼ିକୁ କୁହାଯାଇଛି। ଏହି ମାମଲାର ପରବର୍ତୀ ଶୁଣାଣି ଚଳିତ ମାସ ୧୩ରେ ହେବ।
କେନ୍ଦ୍ର ସରକାର କୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ ଜଣାଇଛନ୍ତି ଯେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଓ ଆତ୍ମନିର୍ଭର ଭାରତ ପ୍ୟାକେଜ୍ରେ ଏମ୍ଏସ୍ଏମ୍ଇଗୁଡ଼ିକୁ ୩.୭ ଲକ୍ଷ କୋଟି ଟଙ୍କା ଓ ଗୃହ ଋଣ କ୍ଷେତ୍ରକୁ ୭୦ ହଜାର କୋଟି ଟଙ୍କାର ସହାୟତା ଘୋଷଣା କରାଯାଇଛି। ତେବେ ମୋରାଟୋରିଅମ୍ ଅବଧିର ସୁଧ ଉପର ସୁଧ ଛାଡ଼ କରିବା ଲାଗି ଦରକାର ପାଣ୍ଠି ହାସଲ କରିବା ପାଇଁ ସଂସଦର ଅନୁମତି ନେବାକୁ ପଡ଼ିବ। ମୋରାଟୋରିଅମ୍ ଗ୍ରହଣ କରିନଥିବା ଗ୍ରାହକମାନଙ୍କୁ ମଧ୍ୟ ସୁଧ ଉପର ସୁଧ ଛାଡ଼ର ସୁବିଧା ଦେବାକୁ ସରକାର ରାଜି ହୋଇଛନ୍ତି। କରୋନା ମହାମାରୀର ମୁକାବିଲା ଲାଗି ମାର୍ଚ୍ଚ ୨୫ରେ ଲକ୍ଡାଉନ୍ ଘୋଷଣା ହେବା ପରେ ମାର୍ଚ୍ଚ ୨୭ରୁ ମେ’ ୩୧ ତାରିଖ ପର୍ଯ୍ୟନ୍ତ ଋଣ ନେଇଥିବା ଗ୍ରାହକଙ୍କୁ ମୋରାଟୋରିଅମ୍ ସୁବିଧା ପ୍ରଦାନ କରିବାକୁ ଆର୍ଥିକ ସଂସ୍ଥାଗୁଡ଼ିକୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସର୍କୁଲାର ଜାରି କରି ଅବଗତ କରାଯାଇଥିଲା। ପରର୍ବତୀ ସମୟରେ ସେହି ସୁବିଧାକୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା।
from ବାଣିଜ୍ୟ – Sambad https://ift.tt/3iw7FCp
0 Comments