କଟକରୁ କେହି ଖାଲି ହାତରେ ଫେରେ ନାହିଁ, କଟକିଆ ଭାରି ଉଦାର : କଣ୍ଠଶିଳ୍ପୀ ଶ୍ରୀଚରଣ ମହାନ୍ତି

କଟକ: ଗାଁରେ ଥିବାବେଳେ ଛୋଟ ଛୋଟ କାର୍ଯ୍ୟକ୍ରମରେ ଗାଉଥିଲି। ଗୀତ ପ୍ରତି ଦୁର୍ବଳତା ଥିଲା। ଗୀତ ଗାଇବାକୁ ପେସା କରିବାକୁ ଇଚ୍ଛା ଥିଲା। ଶୁଣିଥିଲି କଟକ ସହରକୁ ନ ଆସିଲେ କଳା-ସଂଗୀତ କ୍ଷେତ୍ରରେ ଆଗକୁ ବଢ଼ିବା ସମ୍ଭବ ନୁହେଁ। ବାଙ୍କି କଲେଜରେ ପଢ଼ୁଥିବାରୁ କଲେଜକୁ ଯିବାଆସିବା ବେଳେ ବାଦାମବାଡ଼ିରେ ଓହ୍ଲେଇ ହୋଟେଲରେ ଖାଉଥିଲି। ସେତିକିବେଳେ କଟକକୁ ପାଖରୁ ଦେଖିଥିଲି ଓ ଏଠିକୁ ଆସିବାର ଦୁର୍ବଳତା ବଢ଼ିଥିଲା। ୧୯୯୮ ମସିହାରେ କଟକକୁ ଯା’ଆସ କରି ଗୀତ ରେକର୍ଡିଂ କରାଇଲି।

YouTube

୨୦୦୦ ମସିହାରେ ଏଠିକୁ ସ୍ଥାୟୀ ଭାବେ ଚାଲିଆସିଲି। ଆରମ୍ଭରେ ସାବିତ୍ରୀ ମ୍ୟୁଜିକ୍‌ରେ ରହୁଥିଲି। ସେଇଠି ରେକର୍ଡିଂ ହେଉଥିଲା, ସେଇଠି ଖାଇ ଶୋଇ ପଡ଼ୁଥିଲି। ଆରମ୍ଭରେ କଟକର ଭିନ୍ନ ଭିନ୍ନ ଷ୍ଟୁଡ଼ିଓକୁ ଚାଲି ଚାଲି ଯାଇ କାମ ମାଗୁଥିଲି। ସମସ୍ତେ ସାହାଯ୍ୟ କରିଛନ୍ତି। କେହି ବି ଖାଲି ହାତରେ ଫେରାଇ ନାହାନ୍ତି। କଟକିଆ ଭାରି ଉଦାର। ଯାହା ଘରେ ପହଞ୍ଚିଗଲେ ଖାଇବାକୁ ମିଳିଯାଏ, ରହିବାକୁ ବି ସମସ୍ତେ ସହଜରେ ଆଦରି ନିଅନ୍ତି। ରୋଜଗାର ହେବା ପରେ ଘରଭଡ଼ା ନେଇ କଟକରେ ରହିଲି।

ୟା’ ଭିତରେ ନିଜର ଘର ଖଣ୍ଡେ କରି ଏଠି ସ୍ଥାୟୀ ଭାବେ ରହୁଛି। କଟକ ମୋତେ ସଂଘର୍ଷ ପାଇଁ ମଞ୍ଚ ଦେଇଛି, ସଂଘର୍ଷରୁ ଉତ୍ତୀର୍ଣ୍ଣ ହେବା ଶିଖାଇଛି, ଜୀବନ ଗଢ଼ିବାର ରାସ୍ତା ଦେଖାଇଛି, ପରିବାର ପୋଷିବାର ପେସା ବି ଦେଇଛି। ମୋ ଘର ଜଗତସିଂହପୁର ଜିଲ୍ଲା କୁଜଙ୍ଗ ସମାଗୋଳରେ। ସମାଗୋଳ ମୋ ପାଇଁ ମା’ ଦେବକୀ ହେଲେ କଟକ ମୋ ପାଇଁ ମା’ ଯଶୋଦା। ଦୁହେଁ ନ ଥିଲେ ମୋ ଭଳି ପିଲା ପାଦେ ଆଗକୁ ବଢ଼ିବା ସମ୍ଭବ ହୋଇ ନଥାନ୍ତା। ଯଶୋଦାଙ୍କ କୋଳରେ ବଢ଼ିଲେ ବି ଶେଷରେ ଦେବକୀ ମା’ କୋଳରେ ସମାଗୋଳ ଶ୍ମଶାରେ ମିଶିଯିବାକୁ ଇଚ୍ଛା ରଖିଛି।



from ବାଣିଜ୍ୟ – Sambad https://ift.tt/2IkRpIa

Post a Comment

0 Comments