ପିଏନ୍‌ବିରେ ସିନ୍‌ଟେକ୍ସର ୧୨୦୩ କୋଟି ଠକେଇ

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କ (ପିଏନ୍‌ବି) ପୁଣି ଏକ ଋଣ ଠକେଇର ଶିକାର ହୋଇଛି। ଗୁଜରାଟର ଅହମ୍ମଦାବାଦ ସହରର ଏକ ସଂସ୍ଥା ସିନ୍‌ଟେକ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ ୧୨୦୩ କୋଟି ଟଙ୍କାର ଋଣ ଠକେଇ କରିଛି। ଏହି ଋଣକୁ ନେଇ ବ୍ୟାଙ୍କ ଯେଉଁ ଟଙ୍କା ହରାଇବାର ଅଛି ତାହାର ଭରଣା କରିବା ଲାଗି ଅଲଗା ଭାବେ ୨୧୫.୨୧ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ପିଏନ୍‌ବିର ଅହମ୍ମଦାବାଦରେ ଥିବା କର୍ପୋରେଟ୍ ବ୍ୟାଙ୍କିଙ୍ଗ୍‌ ଶାଖାରେ ଏହି ଠକେଇ ହୋଇଛି। ଋଣର ପୁନର୍ଗଠନ କରିବାକୁ ସିନ୍‌ଟେକ୍ସ ପକ୍ଷରୁ ଅନୁରୋଧ କରାଯାଇଥିଲା। ସେହି ପ୍ରସ୍ତାବକୁ ବ୍ୟାଙ୍କ ଗତବର୍ଷ ଡିସେମ୍ବରରେ ପ୍ରତ୍ୟାଖ୍ୟାନ କରିଥିଲା। ସିନ୍‌ଟେକ୍ସ ଇଣ୍ଡଷ୍ଟ୍ରିଜ୍‌ ହେଉଛି ଏକ ପୋଷାକ କଂପାନି। ପ୍ଲାଷ୍ଟିକ୍ ପାଣି ଟାଙ୍କି ତିଆରି କରି ଘରେ ଘରେ ପରିଚିତ ଥିବା ସିନ୍‌ଟେକ୍ସ ଗ୍ରୁପ୍‌ର ଏହା ହେଉଛି ଏକ ଅଂଶ। ସିନ୍‌ଟେକ୍ସ ପ୍ଲାଷ୍ଟିକ୍ସ ଟେକ୍ନୋଲୋଜି ଲିମିଟେଡ୍‌ ମାଲିକାନାରେ ସିନ୍‌ଟେକ୍ସ ଗ୍ରୁପ୍ ରହିଛି। ୨୦୧୭ରେ ସିନ୍‌ଟେକ୍ସ ଇଣ୍ଡଷ୍ଟ୍ରିଜ୍‌ର ଭାଗବଣ୍ଟା ପରେ ଏହି ସଂସ୍ଥା ଗଠନ ହୋଇଥିଲା। ପିଏନ୍‌ବି ପାଇଁ ଋଣ ଠକେଇ ନୂଆ ନୁହେଁ। ଏହା ପୂର୍ବରୁ ହୀରା ବ୍ୟବସାୟୀ ନିରବ ମୋଦୀ ଓ ତାଙ୍କ ମାମୁଁ ମେହୁଲ ଚୋକ୍‌ସି ମୁମ୍ବାଇରେ ଥିବା ବ୍ୟାଙ୍କର ଏକ ଶାଖାରେ ୧୪ ହଜାର କୋଟି ଟଙ୍କାର ଠକେଇ କରି ଦେଶ ଛାଡ଼ି ପଳାୟନ କରିଛନ୍ତି।



from ବାଣିଜ୍ୟ – Sambad https://ift.tt/3n9D417

Post a Comment

0 Comments